Spread the love

 

ଇନ୍ଦୋର : ବୟସ ମାତ୍ର ୨୦ ବର୍ଷ। ଆଖିରେ ଥିବ ଆଖିଏ ସ୍ୱପ୍ନ। ପ୍ରାଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବାପାମା’ଙ୍କ ଆଶାଆକାଙ୍‌କ୍ଷା ପୂରଣ କରିବେ। ନିଜର ସ୍ୱପ୍ନ ସାକାର କରିବେ। ସେଥିପାଇଁ ରାଜା ଲୋଧି ଜୋରଦାର ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ କିଏ ଜାଣିଥିଲା, କୋଚିଂ କ୍ଲାସ୍‌ ଚାଲିଥିବାବେଳେ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହେବ ଓ ସେ ସବୁଦିନ ପାଇଁ ଆଖିବୁଜିବେ ବୋଲି? ମଧ୍ୟ ପ୍ରଦେଶର ଇନ୍ଦୋରର ଘଟିଛି ଏମିତି ଏକ ଦୁଃଖଦାୟକ ଘଟଣା। ଏହା ରାଜାର ପରିବାର ଓ ସହପାଠୀ ତଥା ଶିକ୍ଷକମାନଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ଓ ଉଦବେଗ ସୃଷ୍ଟି କରିଛି।
ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ରାଜା ଲୋଧି। ମଧ୍ୟ ପ୍ରଦେଶ ସାଧାରଣ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେଥିପାଇଁ ସେ ଇନ୍ଦୋରର ଏକ କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ। ଘଟଣାଦିନ ସେ ଅନ୍ୟମାନଙ୍କ ସହିତ ମିଶି କୋଚିଂ କ୍ଲାସ୍‌ରେ ଥିଲେ। ଶିକ୍ଷକ ପଢ଼ାଉଥିବା ସମୟରେ ସେ ଏକଧ୍ୟାନରେ ସବୁ କଥା ଶୁଣୁଥିଲେ। ହଠାତ ତାଙ୍କର ଛାତିରେ ସାମାନ୍ୟ ଯନ୍ତ୍ରଣା ହେଲା। ସେ ଛାତିକୁ ଚାପି ବସି ରହିଲେ। ମାତ୍ର, କିଛି ସମୟ ମଧ୍ୟରେ ବୋଧହୁଏ ଯନ୍ତ୍ରଣା ବଢ଼ିଲା। ସେ ଟେବ୍‌ଲ ଉପରେ ମୁହଁ ମାଡ଼ିଦେଲେ। ପାଖରେ ବସିଥିବା ସହପାଠୀ ଏକଥା ଜାଣିପାରିଲେ। ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ। ବୋଧହୁଏ କିଛି ପଚାରିଲେ। ତା’ପରେ ଦେଖାଗଲା, ଚାରି ପାଖରେ ବସିଥିବା ଅନ୍ୟ କିଛି ପିଲା ତାଙ୍କୁ ସହାୟତା କରିବାକୁ ଚେଷ୍ଟା କଲେ। କ୍ଲାସ୍‌ରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ଼ ହୋଇଛି।
ଏହା ପରେ ପିଲାମାନେ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଯାଇଥିଲେ। ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଇନ୍ଦୋର ସମେତ ସମଗ୍ର ମଧ୍ୟ ପ୍ରଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କାରଣ ଏହା ହେଉଛି ଏହିପରି ଚତୁର୍ଥ ଘଟଣା। ଏହି ନୀରବ ହୃଦଯନ୍ତ୍ର ସମସ୍ୟା ଏବେ ଘାତକପ୍ରାୟ ଉଭା ହୋଇଛି। କିନ୍ତୁ କେହି ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି ଯେ କାହିଁକି ଏପରି ଆକସ୍ମିକ ହାର୍ଟ ଆଟାକ୍‌ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି।

 

Leave a Reply

Your email address will not be published. Required fields are marked *