ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ଆକ୍ରମଣ କ୍ଷମତା ବୃଦ୍ଧି ପାଇଁ ମଙ୍ଗଳବାର ୪୫୦ଟି ସ୍ୱଦେଶୀ ନାଗାସ୍ତ୍ର-୧ଆର୍ ଡ୍ରୋନ୍କୁ ସାମିଲ କରିଛି। ଏକକାଳୀନ ଏତେ ସଂଖ୍ୟକ କାମିକାଜେ (ଆତ୍ମଘାତୀ) ଡ୍ରୋନ୍ ସେନାରେ ସାମିଲ ହେବା ଏହା ପ୍ରଥମ ଘଟଣା। ଅପରେସନ୍ ସିନ୍ଦୂର ପରେ ସେନାର ଡ୍ରୋନ୍ କ୍ଷମତା ବଢ଼ାଇବା ଲାଗି ଚାଲିଥିବା ଉଦ୍ୟମର ଏହା ଏକ ଅଂଶ।
ଦେଶୀୟ ଶିଳ୍ପ ଆବଶ୍ୟକ ସଂଖ୍ୟାରେ ଡ୍ରୋନ୍
କମ୍ପାନିର କହିବା ଅନୁଯାୟୀ, ପରୀକ୍ଷଣରେ ଭାଗ ନେଇଥିବା ଚାରିଟି କମ୍ପାନି ମଧ୍ୟରୁ କେବଳ ଏସ୍ଡିଏଏଲ୍ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡ ପୂରଣ କରିଥିଲା। ଏହା ପୂର୍ବରୁ ୨୦୨୪ରେ ସେନା ୪୮୦ଟି ନାଗାସ୍ତ୍ର-୧ ଡ୍ରୋନ୍ ପାଇଥିଲା। ସେହି ବର୍ଷ ଜୁନ୍ରେ ପୁଲଗାଓଁ ଗୋଳାବାରୁଦ ଡିପୋକୁ ପ୍ରଥମ ୧୨୦ଟି ଡ୍ରୋନ୍ ଯୋଗାଇ ଦିଆଯାଇଥିଲା ଏବଂ ଡିସେମ୍ବର ସୁଦ୍ଧା ସମସ୍ତ ଡ୍ରୋନ୍ର ଯୋଗାଣ ଶେଷ ହୋଇଥିଲା। ଅପରେସନ୍ ସିନ୍ଦୂର ସମୟରେ ଦେଶୀୟ ଶିଳ୍ପ ଆବଶ୍ୟକ ସଂଖ୍ୟାରେ ଡ୍ରୋନ୍, ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ଓ ଲକ୍ଷ୍ୟଭେଦୀ ଡ୍ରୋନ୍ ଯୋଗାଇ ପାରିନଥିବା କଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଦସ୍ତାବିଜ୍ରେ ମଧ୍ୟ ସ୍ୱୀକାର କରାଯାଇଛି। ଏହା ପରେ ସଶସ୍ତ୍ର ବାହିନୀ ପ୍ରାୟ ୩୦ ହଜାର କୋଟି ଟଙ୍କାର ଜରୁରିକାଳୀନ କ୍ରୟ ଚୁକ୍ତି କରିଛି। ଏଥିରେ ଡ୍ରୋନ୍, ରାଡାର୍ ଓ ବୈଦ୍ୟୁତିକ ଯୁଦ୍ଧ ବ୍ୟବସ୍ଥା ଆଦି ସାମିଲ ରହିଛି।