
ମୃତ ବି-ଟେକ ଛାତ୍ର ଜଣ ହେଲେ ୨୩ ବର୍ଷୀୟ ସରଳ ନିଗମ। ସେ ବୁଧବାର ନିଜର ଦୁଇ ବାନ୍ଧବୀ ଓ ଏକ ପୋଷା କୁକୁର ସହ କେରଓ୍ୱା ଜଳଭଣ୍ଡାରକୁ ଯାଇଥିଲେ। ଏହି ସମୟରେ କେରଓ୍ୱା ନଦୀ ପାର୍ ହେଉଥିବା ବେଳେ କୁକୁରଟି ପାଣିକୁ ଖସିପଡିଥିଲା। ତାକୁ ବଞ୍ଚାଇବା ପାଇଁ ସରଳ ନଦୀକୁ ଡେଇଁ ପଡିଥିଲେ। ପରେ ପରେ ତାଙ୍ଗ ସହ ଥିବା ଦୁଇ ବାନ୍ଧବୀ ମଧ୍ୟ ନଦୀକୁ ଡେଇଁ ଥିଲେ। କିଛି ସମୟ ପରେ କୁକୁର ପହଁରି ପହଁରି କୂଳକୁ ଆସିଯାଇଥିଲା। ଦୁଇ ସାଙ୍ଗ ମଧ୍ୟ ଫେରିଥିଲେ। ହେଲେ ସରଳ ନିଗମ କିନ୍ତୁ ଫେରି ନଥିଲେ।
ଏହା ଦେଖି ବାନ୍ଧବୀମାନେ ସାହାଯ୍ୟ ପାଇଁ ଚିତ୍କାର କଲେ। ‘ଜଙ୍ଗଲ୍ କ୍ୟାମ୍ପ୍’ର ସିକ୍ୟୁରିଟି ଗାର୍ଡ ଦୌଡ଼ି ଆସିଥିଲେ। ପରେ ସେମାନେ ସରଳଙ୍କୁ ନ ଦେଖି ପୁଲିସକୁ ଖବର ଦେଇଥିଲେ। ବୁଡ଼ାଳି ଓ ‘ଏସ୍ଡିଇଆର୍ଏଫ୍’ଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା କିନ୍ତୁ ସରଳଙ୍କର ଚିହ୍ନବର୍ଣ୍ଣ ମିଳି ନଥିଲା। ଘଣ୍ଟାଏ ସର୍ଚ୍ଚ ଅପରେସନ୍ ପରେ ତାଙ୍କର ମୃତଦେହ ମିଳିଥିଲା। ୧୦ ରୁ ୧୫ ଫୁଟ ଗଭୀର ଜଳସ୍ରୋତରେ ବୁଡି ଯାଇ ଏହି ଏନ୍ଆଇଟିର ବି-ଟେକ୍ ସ୍ନାତକ ଛାତ୍ର ପ୍ରାଣ ହରାଇଥିବା ପୁଲିସ କହିଛି।
ତାଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି। ମୃତ ସରଳ ନିଗମ ଏମ୍ଏଏନ୍ଆଇଟିରୁ ଇଞ୍ଜିନିୟରିଙ୍ଗ୍ ଡିଗ୍ରି ପାଇଥିବା ବାପ ମା’ଙ୍କର ଏକମାତ୍ର ସନ୍ତାନ ଥିଲେ। ସେ ୟୁପିଏସ୍ସି ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ।