
ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ଦ୍ବାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ। ଏହାସହିତ ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ଶ୍ରୀ ପାଣ୍ଡିଆନ୍ ମତ ଦେଇ ପ୍ରାଚୀନ ଗୁରୁଶିଷ୍ୟ ପରମ୍ପରାର ଉଦାହରଣ ଦେଇଥିଲେ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୩୨୮୨ କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହାଦ୍ବାରା ୧,୧୬,୫୦୦ ଏକର ଜମି ଜଳସେଚିତ ହୋଇପାରିବ। ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଏବଂ ରିଂଗ ରୋଡ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହାସହିତ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟି ରାସ୍ତା, ବାରିପଦାରେ ୪୮ କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାରିପଦା ଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନଙ୍କ ମୟୂରଭଂଜକୁ ପୂର୍ବରୁ କରିଥିବା ଗସ୍ତ ପରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ।