
କଶ୍ମୀର ନିବାସୀ ସଇଦ ଈଶାନ ବୁଖାରୀ ଧର୍ମଶାଳା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରି ରହୁଥିଲା। ଆଉ ନିଜକୁ ଡାକ୍ତର ବୋଲି ପରିଚୟ ଦେଉଥିଲା। ହେଲେ ତାଙ୍କର ଚାଲିଚଳଣରେ ସନ୍ଦେହ ପ୍ରକାଶ କରିଥିଲେ ସାମ୍ୱାଦିକ ସ୍ୱର୍ଗତ ଶେଖ ଦିଲ୍ଦାର। ୨୦୧୮ ମସିହାରେ ସେ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ ମାମଲାକୁ ହାଲ୍କା ଭାବେ ନେଇଥିଲା। ଲୋକ ଦେଖାଣିଆ ଭାବେ ତାଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ଏହି ଘଟଣା ପରେ ବୁଖାରୀଙ୍କ ପତ୍ନୀ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲା।
ସେତେବେଳେ ସାମ୍ୱାଦିକ ଶେଖ ଦିଲ୍ଦାରଙ୍କୁ ଗାଳି ଦେଇଥିଲା। ନାନା ଅପବାଦ ପ୍ରଚାର କରିଥିଲା। ଏପରିକି ଥାନାରେ ଅଭିଯୋଗ କରିବ ବୋଲି ଧମକ ଦେଇଥିଲା। ଯେଉଁଥିପାଇଁ ମାନସିକ ଆଘାତ ପାଇଥିଲେ ଶେଖ ଦିଲଦାର୍। ଦୁଇ ମାସରୁ ଅଧିକ ସମୟ ଧରି ମାନସିକ ଅବସାଦରେ ରହିଥିଲେ ବୋଲି ଦିଲ୍ଦାରଙ୍କ ପତ୍ନୀ ଆଜି ଅଭିଯୋଗ କରିଛନ୍ତି। ଯଦି ୫ ବର୍ଷ ତଳେ ଏହି ଘଟଣାକୁ ଠିକ୍ ଭାବେ ତଦନ୍ତ କରାଯାଇଥାଆନ୍ତା, ତାହା ହେଲେ ବୁଖାରୀ ଜେଲ୍ରେ ରହିଥାଆନ୍ତା ବୋଲି ସେ ଅଭିଯୋଗ କରିଛନ୍ତି। ବୁଖାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସାମ୍ୱାଦିକ ଶେଖ ଦିଲ୍ଦାରଙ୍କ ମୃତ୍ୟୁ ହୋଇଯାଇଛି।