Spread the love

 

ବାଲେଶ୍ଵର: ପ୍ରେମ ସତ୍ୟ ଶାଶ୍ୱତ ଚିରନ୍ତନ । ବିଶ୍ୱାସର ଅନ୍ୟ ନାମ ପ୍ରେମ । ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ବୁଝେନା ଜାତି ଧର୍ମ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଂଲାଦେଶୀ ଯୁବତୀ ରୁମା ମାରୀୟମ । ପୂର୍ବରୁ ପ୍ରେମ ପକ୍ଷୀ ସୀମା ହାଇଦର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରୁମା ମାରୀୟମ୍‌ । ପ୍ରେମ ପାଇଁ ସାତ ଦରିଆ ପାର୍‌ କଲେ ରୁମା ।

ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଓଡ଼ିଶା ପହଞ୍ଚିଲେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ । ୬ ବର୍ଷ ପୂର୍ବେ କରିଥିଲେ ବିବାହ । ପ୍ରେମିକକୁ ଖୋଜି ଖୋଜି ଭିସା ନେଇ ବାଂଲାଦେଶରୁ କମରଦା ଥାନା ଅଧୀନସ୍ଥ ବୁଢ଼ାକୁସୁମୀ ଅଞ୍ଚଳରେ ଗତକାଲି ପହଞ୍ଚିଥିଲେ। ଆଜି ସେ ବାଲେଶ୍ଵର ରେ ଆସି ପହଂଚିଛନ୍ତି । ରୁମାଙ୍କ ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ବୋଲି ଜଣାପଡିଛି ।

ସୁଚନା ମୁତାବକ୍‌, ବାଂଲାଦେଶୀ ଯୁବତୀ ରୁମା ମାରୀୟମ ଙ୍କ ସହ ବାଲେଶ୍ଵର ଜିଲ୍ଲା କମରଦା ଥାନା ଅଧୀନ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ସୋସିଆଲ ମିଡ଼ିଆରୁ ଭଲ ପାଇବା ଆରମ୍ଭ ହୋଇଥଲା । ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖାକରିବା ସହ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ । ଦୀର୍ଘ ୬ ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ରଙ୍କୁ ବାଂଲାଦେଶ କକ୍ସ ବଜାର ରେ ମୁସଲିମ ରୀତିନୀତି ଅନୁସାରେ ମୌଲାନା ଉପସ୍ଥିତି ରେ ଉଭୟ ବିବାହ କରିଥିବା ଦାବି କରିଛନ୍ତି । ବିରେନ୍ଦ୍ର ହିଁ ରୂମାଙ୍କ ସ୍ବାମୀ ବୋଲି ରୁମା ଦାବି କରିଛନ୍ତି । ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସଂପର୍କ ରଖିବା ପରେ କିଛି ଦିନ ହେବ ବିରେନ୍ଦ୍ର ରୁମାଙ୍କୁ ହତାଦର କରୁଥିବା ବେଳେ ତାଙ୍କ ସହ ଭଲରେ ସମ୍ପର୍କ ରଖୁ ନଥିବା ସହ ତାଙ୍କ ଠାରୁ ଦୂରେଇ ରହୁଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ବିରେନ୍ଦ୍ର ଅନ୍ୟତ୍ର ବାହା ହୋଇ ପଡିଛନ୍ତି । କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ପୁନଃ ରହିବା ପାଇଁ ଜିଦ୍ ଧରିଛନ୍ତି । ପ୍ରମାଣ ସ୍ବରୂପ ବାଂଲାଦେଶରେ ରୁମା ଓ ବିରେନ୍ଦ୍ରଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ରୁମାଙ୍କ ପାଖରେ ରହିଛି ସେ ନ୍ୟାୟ ପାଇଁ ବାଲେଶ୍ଵର ଆସିଥିବା ବେଳେ ଆସନ୍ତାକାଲି ବାଲେଶ୍ଵର ଏସ ପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବେ ବୋଲି କହିଛନ୍ତି ।ସେପଟେ ଗତକାଲି ରୁମା ନିଜର ସ୍ବାମୀ ବୋଲି ଦାବି କରୁଥିବା ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଘରୁ ତଡ଼ି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

 

Leave a Reply

Your email address will not be published. Required fields are marked *