
ଜୟରାମ ପାଙ୍ଗୀ କହିଛନ୍ତି ଯେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଓ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବାକୁ ସେ ଏହି ଦଳରେ ଯୋଗ ଦେଇଛନ୍ତି। ରାଜ୍ୟକୁ ବଞ୍ଚାଇବାକୁ ହେଲେ ଆସନ୍ତା ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ ପଡ଼ିବ ବୋଲି ସେ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି।
ଏହା ପୂର୍ବରୁ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି (BRS)ରେ ଥିଲେ। ତା’ ପୂର୍ବରୁ ସେ ବିଜେପି, ବିଜେଡି ଓ ଜନତା ଦଳରେ ଥିଲେ। ସେ ୪ ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍ରେ ଜୟରାମ ପାଙ୍ଗୀ ପ୍ରଥମେ ପଟ୍ଟାଙ୍ଗୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ସେହି ଆସନରୁ ସେ ଦ୍ୱିତୀୟ ଥର ଜନତା ପାର୍ଟି ଟିକେଟ୍ରେ ବିଧାନସଭାକୁ ଯାଇଥିଲେ। ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ପଟ୍ଟାଙ୍ଗୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨୦୦୯ ସାଧାରଣ ନିର୍ବାଚନରେ ଜୟରାମ ପାଙ୍ଗୀଙ୍କୁ ବିଜେଡି କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ ଏହି ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।