
ଗତ ୧୫ତାରିଖ ସୁଦ୍ଧା ଜିଲାର ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଥିଲେ। ମାତ୍ର ତାହା ହୋଇ ନ ଥିଲା। ଫଳରେ ଚାଷୀମାନେ ୧୫ ତାରିଖରୁ ମଣ୍ଡିରେ ଧାନ ପୂରାଇଥିଲେ। ଅପରପକ୍ଷେ ଗତ ୨୧ ରୁ ମଣ୍ଡି ଖୋଲି ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ ୧୫ତାରିଖରୁ ମଣ୍ଡିରେ ଧାନ ପୂରାଇଥିବା ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର ୨୮ରୁ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ରହିଛି। କଲାପାଣି ଗ୍ରାମର ସୁରେଶ ନେକାଣ୍ଟିଙ୍କ କ୍ଷେତ୍ରରେ ଏଭଳି ହୋଇଛି। ସେ ଗତ ୧୫ରୁ କଲାପାଣି ମଣ୍ଡିରେ ଧାନ ପୂରାଇଥିଲେ। ମାତ୍ର ତାଙ୍କୁ ମିଳିଥିବା ଟୋକନରେ ଡିସେମ୍ବର ୨୮ ବିକ୍ରି ଦିବସ ରହିଛି। ଅମଳ ପରେ ମଣ୍ଡିରେ ଧାନ ବିକ୍ରି ହେବା ବଦଳରେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ି ରହିଲେ ଚାଷୀମାନେ କିଭଳି ସମସ୍ୟାର ସମ୍ମୁଖୀନ ହେବେ, ତାହା ସହଜରେ ଅନୁମେୟ ବୋଲି ଚାଷୀ ନେକାଣ୍ଟି କହିଛନ୍ତି। ଏପରିକି ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ବେ କିଛି ସୁଫଳ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ସେଭଳି ସମସ୍ୟା ନେଇ ଲେଖି ଜଣାଇବାକୁ ବିଭାଗୀୟ ଅଧିକାରୀମାନେ ପରାମର୍ଶ ଦେଉଛନ୍ତି, ମାତ୍ର ତାହା ମଧ୍ୟ କିଛି କାମକୁ ଆସୁ ନାହିଁ। ଅତାବିରା ଅଞ୍ଚଳର ଅନେକ ଚାଷୀ ସେଭଳି ଆବେଦନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରି ନ ଥିବା ନେକାଣ୍ଟି ଅଭିଯୋଗ କରିଛନ୍ତି।
ସେହିପରି କଲାପାଣି ଗ୍ରାମର ଅନ୍ୟଜଣେ ଚାଷୀ ଏକାଦଶିଆ ସାହୁ କହିଛନ୍ତି, ଚାଷୀଙ୍କୁ ଶୋଷଣ କରିବା ପାଇଁ ସରକାର ଟୋକନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଚାଷୀ ପଞ୍ଜୀକରଣ ସମୟରେ ଆମେ ସମ୍ଭାବ୍ୟ ବିକ୍ରି ଦିବସ ଉଦ୍ଦିଷ୍ଟ ଫର୍ମରେ ଲେଖିଥିଲୁ। ମାତ୍ର ତାକୁ ଦୃଷ୍ଟି ଦେବା ପରିବର୍ତ୍ତେ ବିକ୍ରି ଦିବସକୁ ମାସେ ବିଳମ୍ବିତ କରାଯାଇଛି। ବିଭାଗୀୟ ଅଧିକାରୀମାନେ ମିଲର୍ସ, ବେପାରୀଙ୍କ ସହିତ ଅସାଧୁ ମେଣ୍ଟ ରଖି ସେଭଳି ଷଡ଼ଜନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ଟୋକନରେ ବିକ୍ରି ଦିବସ ଯେତେ ବିଳମ୍ବିତ ହେବ, ଚାଷୀ ସେତେ ହଇରାଣ ହରକତ ହେବ ଏବଂ ଶେଷରେ ବାଧ୍ୟ ହୋଇ ଅଣ୍ଡରରେଟ୍ରେ ବେପାରୀ ହାତରେ ସବୁ ଅମଳ ଧାନ ଟେକଦେବ ବୋଲି ସାହୁ ଅଭିଯୋଗ କରିଛନ୍ତି। ତେବେ ଏଭଳି ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଆଗକୁ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଚାଷୀ ସାହୁ ଚେତାବନୀ ଦେଇଛନ୍ତି। ତେବେ ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୮୨୦୦୦୩୩ରେ ଯୋଗାଯୋଗ ସମ୍ଭବ ନ ହେବା ଯୋଗୁ ତାଙ୍କ ମତାମତ ମିଳିପାରି ନାହିଁ।