ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଜାମିନ ଆବେଦନକୁ ହାଇକୋର୍ଟଙ୍କ ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଖାରଜ କରିଛନ୍ତି। ଏବେ ପୋଲିସ୍ ତାଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ ବୋଲି କୁହାଯାଉଛି। ସୂଚନାଥାଉକି, ୨୦୨୧ ମସିହା ଜୁଲାଇ ୧୩ ତାରିଖରେ ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ୨୦୨୦ ବ୍ୟାଚ୍ର ଓଡ଼ିଶା ବନ ସେବା ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିସ୍ଥିତ ତାଙ୍କ ସରକାରୀ ବାସଭବନରେ ରହସ୍ୟମୟ ପରିସ୍ଥିତିରେ 80% ପୋଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେ ମୃତ୍ୟୁବରଣ କରିଥିଲେ ।
ଏସିଏଫ୍ଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ଦାଖଲ କରାଯାଇଥିଲା । ହତ୍ୟା ଅଭିଯୋଗରେ ପୂର୍ବତନ ଡିଏଫ୍ଓ ବେହେରା, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ପରିବାର ଲୋକେ । ସୂଚନାଯୋଗ୍ୟ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପ୍ରସଂଗ ନେଇ ବିଦ୍ୟାଭରତୀ ସିଆରପିସିର ଧାରା ୨୦୫ରେ ଦାୟର କରିଥିବା ଆବେଦନକୁ ଖାରଜ କରି ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଜୁନ ୨୩ ଓ ୨୦୨୪, ମାର୍ଚ୍ଚ ୧୧ରେ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଥିଲେ। ଏଥି ସହିତ ଏସଡିଜେଏମ ଅଦାଲତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ।