
ଉଲ୍ଲେଖଯୋଗ୍ୟ, ଗତକାଲି ବିଜେଡି ଆଜି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଥିଲା। ଆଜିପୂର୍ବାହ୍ନ ୯ଟା ୩୦ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିଛନ୍ତି। ଦୁଇ ଥର ବିଧାୟକ ହୋଇଥିବା ସାଲୁଗା ପ୍ରଧାନଙ୍କୁ ବିଜେଡି ଉପବାଚସ୍ପତି ପ୍ରାର୍ଥୀ କରିବା ପରେ ସେ କହିଛନ୍ତି ଯେ ଦଳର ସଭାପତି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ। ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି। ମୁଁ ଦୁଇ ଥର ବିଧାୟକ ହୋଇଥିବାରୁ ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ଅଛି।
ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ସିଂହ ଗତ ନଭେମ୍ବର ୮ତାରିଖରେ ଇସ୍ତଫା ଦେବା ପରେ ଆଗାମୀ ଉପବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।