
ରାଷ୍ଟ୍ରପତି କହିଥିଲେ ଯେ ସେଲ୍ ଫୋନ୍ ଏବଂ କୋରିଅର୍ ସେବାର ବୃଦ୍ଧି ପାଉଥିବା ଧାରା ସତ୍ତ୍ୱେ ଭାରତୀୟ ଡାକ ଏହାର ପ୍ରାସଙ୍ଗିକତା ହରାଇ ନାହିଁ। ରାଇରଙ୍ଗପୁରଠାରେ ଏକ ନୂତନ ଡାକ ବିଭାଗର ଉଦଘାଟନ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ଅଞ୍ଚଳର ଲୋକମାନେ ଏବେ ସହଜରେ ଡାକ ସେବା ପାଇପାରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ୨୦୧୩-୧୪ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ଚଳିତ ବଜେଟ୍ ରେ ପ୍ରାୟ ୩ ଗୁଣ ବୃଦ୍ଧି ଘଟିଛି। ଆଦିବାସୀଙ୍କ ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ପୂର୍ଣ୍ଣ ବୋଲି ସେ କହିଥିଲେ। ସେଥିପାଇଁ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶକୁ ପ୍ରାଥମିକତା ଦେଉଛନ୍ତି। ଆଦିବାସୀ ଯୁବକଯୁବତୀମାନେ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ସେ ଅନୁରୋଧ କରିଛନ୍ତି। ଆତ୍ମବିକାଶ ପାଇଁ ମଧ୍ୟ ପ୍ରୟାସ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ତେଣୁ ଯୁବପିଢ଼ି ନିଜ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବା ଉଚିତ।
ରାଷ୍ଟ୍ରପତି କହିଥିଲେ ଯେ ପିଭିଟିଜି ବା ଅତି ପଛୁଆ ଆଦିବାସୀ ସମାଜର ବିକାଶ ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ଅବସରରେ ପିଏମ୍ ଜନମନ (ପ୍ରଧାନମନ୍ତ୍ରୀ- ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ) ଆରମ୍ଭ କରିଛନ୍ତି। ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି ପଦକ୍ଷେପ ଅମୃତ କାଳରେ ଲୋକଙ୍କୁ ବିକାଶ ସହିତ ଯୋଡ଼ିବା ସହ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ।