
ମାମଲାର ବିବରଣୀରୁ ଜଣାଯାଏ ଯେ, କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଜନ୍ତାରି ଗ୍ରାମ ଠାରୁ ୧୫ କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ସେହିପରି ଏହି ଗାଁ ଠାରୁ ୪୦ କିଲୋମିଟର ଦୂରରେ ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ଲୋକେ ଏତେ ଦୂର ଆସିପାରୁନାହାଁନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ବିଗତ ଦିନରେ ୫ ମାସ ମଧ୍ୟରେ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା। ଏଥିର ୬ ବର୍ଷର ଶିଶୁ ମଧ୍ୟ ସାମିଲ ଥିଲା। ଏବେ ବି ଏହି ଗାଁରେ ୧୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି। ଏଠାକୁ ସ୍ୱାସ୍ଥ୍ୟ କର୍ମୀମାନେ କେବେ ଯାନ୍ତି ନାହିଁ।
ଏହି ଘଟଣାକୁ ଗୁରୁତ୍ବପୂର୍ଣ୍ଣ ମନେ କରି ହାଇକୋର୍ଟର ଆଇନଜୀବୀ ଶ୍ରୀ ଅଖଣ୍ଡ ଗତ ୮ ତାରିଖରେ ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ବିଚାର କରି ଆଠ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ କମିସନ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ବିଭାଗୀୟ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମଧ୍ୟ କମିସନ ନିର୍ଦ୍ଦେଶ ଦେଇଛନ୍ତି।