
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ସେମାନେ ଅଲ୍ ଶିଫା ଏବଂ ଗାଜାର ଅନ୍ୟ ଏକ ଚିକିତ୍ସା କେନ୍ଦ୍ର ଅଲ୍ କୁଦସ୍ ହସ୍ପିଟାଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ସାମଗ୍ରୀ ପାଇଛନ୍ତି। ଅଲ୍ ଶିଫାରେ ହୋଇଥିବା ଚଢ଼ଉ ସମ୍ପର୍କରେ ଇସ୍ରାଏଲ କୌଣସି ଗୁଇନ୍ଦା ସୂଚନା ପ୍ରଦାନ କରିଛି କି ବୋଲି ପଚରାଯିବାରୁ ହ୍ୱାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି, ‘ମୁଁ ଆମ ଦୁହିଁଙ୍କ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ବିଷୟରେ କହିବି ନାହିଁ। ହମାସ୍ ଅଲ୍ ଶିଫା ହସ୍ପିଟାଲ ଉପରେ ଇସ୍ରାଏଲର ଚଢ଼ଉକୁ ନିନ୍ଦା କରିବା ସହ ସାମରିକ ଉଦ୍ଦେଶ୍ୟରେ ଏହି ସୁବିଧା ବ୍ୟବହାର କରିଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଏହି ସଙ୍ଗଠନ ଦାବି କରିଛି ଯେ ଏହା ଏକ ଖୋଲାଖୋଲି ମିଥ୍ୟା କାହାଣୀର ପୁନରାବୃତ୍ତି, ଯାହା ଦଖଲକାରୀ ସେନା ମୁଖପାତ୍ରଙ୍କ ଦୁର୍ବଳ ଏବଂ ହାସ୍ୟାସ୍ପଦ ପ୍ରଦର୍ଶନ ଦ୍ୱାରା ପ୍ରଦର୍ଶିତ ହୋଇଛି।
ଅନ୍ୟପକ୍ଷରେ ଇସ୍ରାଏଲୀ ସେନା ପକ୍ଷରୁ କୁହାଯାଇଛି ଯେ ଅଲ୍ ଶିଫା ହସ୍ପିଟାଲକୁ ୪ ହଜାର ଲିଟରରୁ ଅଧିକ ପାଣି ଓ ୧୫୦୦ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଅଲ୍ ଶିଫା ହସ୍ପିଟାଲରେ ହମାସ୍ ଦ୍ୱାରା କିଛି ବନ୍ଧକ ରହିଥିବା ନେଇ ତାଙ୍କ ଦେଶ ପାଖରେ ଦୃଢ଼ ପ୍ରମାଣ ରହିଛି। ଗାଜାରେ ଯୋଗାଯୋଗ ସେବା ପୁଣି ଥରେ ବନ୍ଦ ହୋଇଯାଇଛି।