Spread the love

 

IMAGE_1700114547

ବାଜିରେ ଲାଗିଛି ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ତଳେ ୪ ଦିନ ହେବ ଫଶିଛନ୍ତି ୪୦ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତର ପ୍ରୟାସ ଜାରି ରହିଛି। ଏମାନଙ୍କ ରେସ୍କ୍ୟୁ ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍‌ ମେସିନ୍‌। ବାୟୁସେନା ବିମାନ ଜରିଆରେ ଦିଲ୍ଲୀରୁ ଆମେରିକାର ଡ୍ରିଲ ମେସିନ୍‌ ଆଣି ଟନେଲ ଭିତରେ ଫିଟ୍‌ କରାଯାଇଛି। ଖୁବ୍‌ଶୀଘ୍ର ଡ୍ରିଲିଂ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସେପଟେ ସିଲ୍‌କ୍ୟାରା ସୁଡଙ୍ଗରୁ ମାଟି ହଟାଇବାକୁ ଚେଷ୍ଟା ଜାରି ରହିଛି। ସୁଡଙ୍ଗ ଭିତରେ ଭୂସ୍ଖଳନ ହେବା ପରେ ମାଟି ଧସି ଆସିଥିଲା। ଫଳରେ ଏହାରି ଭିତରେ କାମ କରୁଥିବା ୪୦ ଶ୍ରମିକ ଫଶିଯାଇଥିଲେ। ଏହି ଶ୍ରମିକଙ୍କୁ ବାହାରକୁ ବାହାର କରିବା ପାଇଁ ୪ ଦିନ ହେବ ବାୟୁସେନା ଓ ଏନ୍‌ଡିଆର୍‌ଏଫ୍ ଟିମ୍‌ ଲାଗିପଡିଛନ୍ତି। ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି। ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ହାଇ ପାଓ୍ୱାର ଆମେରିକାନ୍‌ ଅଗର୍‌ ମେସିନ୍‌ ସୁଡଙ୍ଗ ଭିତରେ ଫିଟ୍‌ କରାଯାଇଛି।

ଏହି ବିଶାଳ ଯନ୍ତ୍ରପାତିକୁ ଦିଲ୍ଲୀରୁ ଉତ୍ତରାକାଶୀକୁ ଦୁଇଟି ହର୍କ୍ୟୁଲସ୍ ସି -୧୩୦ ବିମାନ ଯୋଗେ ଅଣାଯାଇଛି। ଏହି ମେସିନ୍ ତିନି ଭାଗରେ ଥିଲା। ଏହାକୁ ଏକାଠି କରିବା ପରେ କାମ ଆରମ୍ଭ ହୋଇଛି। ଏକ ଘଣ୍ଟାରେ ୬ ମିଟର ଯାଏଁ ଏହି ମେସିନ୍‌ ଡ୍ରିଲ୍‌ କରିବାର କ୍ଷମତା ରଖୁଛି। ସେପଟେ ଶ୍ରମିକମାନଙ୍କୁ ବାହାରକୁ ବାହାର କରିବା ପାଇଁ ଆଉ ୫୦ ଘଣ୍ଟା ସମୟ ଲାଗିପାରେ ବୋଲି NHIDCର ନିର୍ଦ୍ଦେଶକ ଅଂଶୁ ମନୀଷ କହିଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କ ସହ ୱାକି ଟକି ମାଧ୍ୟମରେ କଥାବାର୍ତ୍ତା କରାଯାଉଛି। ଅକ୍ସିଜେନ, ପାଣି, ଔଷଧ ଓ ଖାଦ୍ୟ ସାମଗ୍ରୀ ଏକ ପାଇପ୍ ମାଧ୍ୟମରେ ଲଗାତର ସେମାନଙ୍କ ପାଖକୁ ପଠାଯାଉଛି।

ଶ୍ରମିକମାନଙ୍କୁ ସୁଡଙ୍ଗ ଭିତରକୁ ବାହାର କରିବା ପାଇଁ ଦ୍ୱିତୀୟ ପ୍ରୟାସର ଅପଣାଯାଇଥିଲା। ଡେରାଡୁନରୁ ଏକ ମିଟର ମୋଟା ଷ୍ଟିଲ ପାଇପ ଅଣାଯାଇଥିଲା। ସୁଡ଼ଙ୍ଗ ଭିତରକୁ ଏହି ପାଇପ୍‌ ପଠାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ପ୍ରଥମ ପ୍ରୟାସ ବିଫଳ ହୋଇଛି। ତେଣୁ ଏବେ ଦିଲ୍ଲୀରୁ ଏକ ବଡ଼ ମେସିନ୍‌ ଉତ୍ତରକାଶୀକୁ ଅଣାଯାଇଛି। ଏହି ମେସିନ୍‌ ଷ୍ଟିଲ୍‌ ପାଇପଗୁଡିକୁ ଶ୍ରମିକମାନଙ୍କ ପାଖକୁ ପଠାଇବାରେ ସାହାଯ୍ୟ କରିବ। ଏଭଳି ପରିସ୍ଥିତିରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଶ୍ରମିକମାନେ ବାହାରକୁ ଆସିପାରିବେ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ ୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇ ପାରିଛି। ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା। ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଥିଲା।

 

Leave a Reply

Your email address will not be published. Required fields are marked *