
ଆଜି ମାନେଶ୍ୱର ବ୍ଲକ ଅନ୍ତର୍ଗତ ମାଲତୀଗୁଣ୍ଡେରପୁର ସରକାରୀ ହାଇସ୍କୁଲରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ସମୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେଉଛି। ପରୀକ୍ଷା ସମୟ ସକାଳ ୧୦ଟା୩୦ରୁ ଦିନ ୧ ଟା ଯାଏ ରହିଛି ।
ମାତ୍ର ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ମାଳତୀ ଗୁଣ୍ଡେରପୁର ସ୍କୁଲରେ ପରୀକ୍ଷା ସମୟକୁ ଘୁଞ୍ଚାଇ ଦିଆଯାଇଛି। ଏପରିକି ଆଜି ସକାଳ ୭ଟା ରୁ ୯ ଟା ୩୦ ଯାଏ ପରୀକ୍ଷା କରାଯାଇଛି।
ସମଗ୍ର ରାଜ୍ୟରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ହେଉଛି। ତେଣୁ କିଛି ସ୍କୁଲ ପିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ଦେଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହେବାର ଆଶଙ୍କା ଦେଖାଦେଇଛି।
ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସେମାନେ ପରୀକ୍ଷା ପରେ ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କଠାରୁ ରଖି ଦେଇଛନ୍ତି । ତେବେ ପରୀକ୍ଷା ଚାଲିଥିବା ବେଳେ କିପରି ଏତେ ବଡ କାର୍ଯ୍ୟକ୍ରମ ସ୍କୁଲ ପରିସରରେ କରିବାକୁ ପ୍ରଶାସନ ଅନୁମତି ଦେଲା ତାହା ବଡ ପ୍ରଶ୍ନ ଠିଆ କରିଛି । ଅନ୍ୟପକ୍ଷରେ, କାର୍ଯ୍ୟକ୍ରମକୁ ଆସୁଥିବା ମହିଳା ମାନେ କେହି ବି କହି ପାରୁ ନାହାନ୍ତି ଯେ ସେମାନେ କାହିଁକି ଆସିଛନ୍ତି ।