
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ୩ଟି ବ୍ଲକ୍ ଏବଂ ଢେଙ୍କାନାଳ ଜିଲ୍ଲାର ୬ଟି ବ୍ଲକ୍କୁ ବ୍ରାହ୍ମଣୀ ନଦୀ ସ୍ପର୍ଶ କରିଛି। ଏହା ହିଁ ବୟାନ କରେ ଯେ ବ୍ରାହ୍ମଣୀ ଉପରେ କେତେ ଲୋକ ନିର୍ଭରଶୀଳ। ଅନୁଗୁଳ ଜିଲ୍ଲାର ନନ୍ଦିରା ନାଳ ଏବଂ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ରେ ପ୍ରବାହିତ କିସିନ୍ଦା ନାଳ ବ୍ରାହ୍ମଣୀକୁ ଦୂଷିତ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି। ୨୦୧୭ରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ବାରା ବ୍ରାହ୍ମଣୀ ନଦୀ ସମୂହର ୪୧ଟି ସ୍ଥାନରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ନଦୀର ଜଳ ସର୍ବନିମ୍ନ ବ୍ୟବହାର ଲାଗି ଅନୁପଯୁକ୍ତ। ନଦୀଜଳ ପ୍ରଦୂଷଣ ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ କିମ୍ବା ବ୍ରାହ୍ମଣୀ ଜଳ ବ୍ୟବହାର ଯୋଗ୍ୟ ହେଲାଣି, ଏକଥା ସରକାର କହୁନାହାନ୍ତି। କେବଳ ମହାନଦୀ ପ୍ରତି ଯେ ବିପଦ ଦେଖାଦେଇଛି, ତା’ ନୁହେଁ, ବ୍ରାହ୍ମଣୀ ବି ଅଧାଦିନ ଶୁଷ୍କ ମରୁଭୂମି ଭଳି କିଛି ସ୍ଥାନରେ ପ୍ରତୀୟମାନ ହେଉଛି ଏବଂ ଆଉ କିଛି ଅଞ୍ଚଳ ନର୍ଦ୍ଦମା ଭଳି ଦେଖାଯାଉଛି।