Spread the love

 

blg

ବଲାଙ୍ଗିର: ପିଏମ୍ ଆବାସ ଟଙ୍କା ନମିଳିବାରୁ ଜଣେ ବ୍ୟକ୍ତି ଆଜି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ବିଡିଓଙ୍କ ରୁମ୍‌ରେ ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା ଧମକ ଦେଇଥିଲେ। ଫଳରେ ପ୍ରାୟ ଅଧା ଘଣ୍ଟା ଧରି ବ୍ଳକ୍ ଅଫିସ ପରିସରରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ କାର୍ଯ୍ୟାଳୟରେ ଘଟିଥିଲା ଏହି ଘଟଣା।

ଏହି ବ୍ୟକ୍ତିଙ୍କ ନାଁ ସୀତରାମ ବେହେରା। ତାଙ୍କ ଘର କୁଟେନପାଲି ଗାଁରେ। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ କରୁଛନ୍ତି। କିନ୍ତୁ ତାଙ୍କୁ ଆଉ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଉ ନାହିଁ। ସେଥିପାଇଁ ଆଜି ସକାଳେ ସେ ବିଡିଓ ଅମରେନ୍ଦ୍ର ସ୍ୱାଇଁଙ୍କୁ ଭେଟିଥିଲେ। ବିଡିଓ ତାଙ୍କୁ ବୁଝାଇଥିଲେ ଯେ ଯେହେତୁ ସେ ସରକାରୀ ଜମିରେ ଘର କରୁଛନ୍ତି, ତେଣୁ ତାଙ୍କ ଦ୍ୱିତୀୟ କିସ୍ତି ଟଙ୍କାକୁ ସ୍ଥଗିତ କରି ଦିଆଯାଇଛି। ହେଲେ ବିଡିଓଙ୍କ କଥାରେ ବୋଧେ ସେ ସନ୍ତୁଷ୍ଟ ନଥିଲେ।

ପରବର୍ତ୍ତୀ ସମୟରେ ଯେତେବେଳେ ବିଡିଓ ତାଙ୍କ ଅଫିସ୍ ରୁମ୍‌ରେ ଅନୁପସ୍ଥିତ ଥିଲେ, ସେତେବେଳେ ସୀତାରାମ ବେହେରା ତାଙ୍କ ପତ୍ନୀ ଓ ପୁଅଝିଅଙ୍କୁ ନେଇ ତା’ ଭିତରକୁ ପଶି ଯାଇଥିଲେ ଏବଂ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ତାଙ୍କ ହାତରେ ଏକ ବିଷ ବୋତଲ ଥିଲା। ସେ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ସୀତାରାମ ଧମକ ଦେଇଥିଲେ।

ଖବର ପାଇ ବ୍ଳକ୍ ଅଫିସ୍‌ରେ ପହଞ୍ଚିଥିଲା ପୁଇଁନ୍ତଲା ପୁଲିସ୍। ପୁଲିସ୍ ତାଙ୍କୁ ବାହାରକୁ ଆସିବାକୁ କହିଥିଲା। କିନ୍ତୁ ସୀତାରାମ କାହା କଥା ଶୁଣି ନଥିଲେ। ପରେ ବିଡିଓ ଅମରେନ୍ଦ୍ର ସ୍ୱାଇଁ ପହଞ୍ଚିଥିଲେ। ସେ ବୁଝାଇବା ପରେ ସୀତରାମ କବାଟ ଖୋଲିଥିଲେ। ପୁଲିସ୍ ତାଙ୍କଠାରୁ ବିଷ ବୋତଲ ଜବତ କରିଥିଲା।

ବିଡିଓ ଅମରେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ସୀତରାମ ମାସେ ତଳେ ପିଏମ୍ ଆବାସ ଯୋଜନାରେ ଘର ତିଆରି ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଆର୍‌ଓଆର ଦେଇଛନ୍ତି। ସେ ତାଙ୍କ ନିଜ ଜମିରେ ଘର କରିବେ ବୋଲି ଲେଖିକି ଦେଇଥିଲେ। ସେଥିପାଇଁ ପ୍ରଥମ କିସ୍ତିରେ ତାଙ୍କୁ ୪୦ ହଜାର ଟଙ୍କା ଦିଆଯାଇଥିଲା। ସେ ଆଉ ଦୁଇଟି କିସ୍ତିରେ ୬୫ ଓ ୨୫ ହଜାର ଟଙ୍କା ପାଇଥାଆନ୍ତେ। କିନ୍ତୁ ସେ ସରକାରୀ ଜମିରେ ଘର କରୁଥିବା ଜଣାପଡ଼ିବା ପରେ ତାଙ୍କର ଦ୍ୱିତୀୟ କିସ୍ତି ଟଙ୍କାକୁ ସ୍ଥଗିତ ରଖି ଦିଆଯାଇଥିଲା।

ବିଡିଓ କହିଛନ୍ତି ଯେ ସରକାରୀ ଜମିରେ ଘର କଲେ ଟଙ୍କା ଦିଆଯିବ ନାହିଁ ବୋଲି ସୀତରାମ ଜାଣିଛନ୍ତି। ତଥାପି ସେ ଜାଣିଣୁଣି ସରକାରୀ ଜମିରେ ଘର କରୁଛନ୍ତି। ସରକାରୀ ଜମିରେ ଯେଉଁମାନେ ଘର କରିବେ, ସେମାନଙ୍କୁ ଅର୍ଥ ନଦେବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଚଳିତ ବର୍ଷଠାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଥିବାରୁ ଯିଏ ସରକାରୀ ଜମିରେ ଘର କରୁଛନ୍ତି ଆମେ ତାଙ୍କ କିସ୍ତିକୁ ସ୍ଥଗିତ ରଖି ଦେଉଛୁ। ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।

ପୂର୍ବରୁ ଲୋକେ ପିଏମ୍ ଆବାସ ଯୋଜନାରେ ସରକାରୀ ଜମିରେ ଘର କରି ଟଙ୍କା ପାଇଥିବାର ଅନେକ ନଜିର ରହିଥିବାରୁ ସେ କାହିଁକି ନପାଇବେ ଭାବି ବୋଧହୁଏ ସୀତାରାମ ବେହେରା ଆଜି ଆତ୍ମହତ୍ୟା ଧମକ ଭଳି ଏକ ପଦକ୍ଷେପ ନେଇଥିବା ଜଣାପଡ଼ୁଛି। ତେବେ ଘର ନିର୍ମାଣ ପୂର୍ବରୁ ତାହା ଜଣଙ୍କ ନିଜସ୍ୱ ରେକର୍ଡ ଜାଗାରେ ହେଉଛି ନା ସରକାରୀ ଜମିରେ ହେଉଛି, ତାହା କାହିଁକି ପ୍ରଶାସନ ନିଶ୍ଚିତ କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି।

 

Leave a Reply

Your email address will not be published. Required fields are marked *