Spread the love

 

akh

‘ପିଡିଏ’ କଥା କହିଲେ ‘ଇଣ୍ଡିଆ’ ମେଣ୍ଟ କଥା ଭୁଲିଗଲେ ଅଖିଲେଶ ଯାଦବ। ଲଗାତର ତିନି ଦିନ ଧରି କଂଗ୍ରେସକୁ ସମାଲୋଚନା ପରେ ଏବେ ସାମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଏକ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ବୁଝାପଡୁଛି ଯେ, ‘ଇଣ୍ଡିଆ’ ମେଣ୍ଟରେ ଆଉ ନ ରହିପାରେ ସମାଜବାଦୀ ପାର୍ଟି।

ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପଡିବ ଭୋଟ। ଏହା ପୂର୍ବରୁ କଂଗ୍ରେସ କିଛି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ସମାଜବାଦୀ ପାର୍ଟି ଆଶା ରଖିଥିଲା ଯେ କଂଗ୍ରେସ ୬ଟି ଆସନ ତାକୁ ଛାଡ଼ିପାରେ। କିନ୍ତୁ କଂଗ୍ରେସ ୧୮ଟି ଯାକ ଆସନରେ ପ୍ରାର୍ଥୀ ଦେଇଛି। ଯାହାକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଏକ ପ୍ରକାଶ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସିଧାସଳଖ କଂଗ୍ରେସର ନାଁ ନେଇ ବା ଇଣ୍ଡିଆ ମେଣ୍ଟ କଥା କିଛି ନ କହି ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ କୁହାଯାଇଛି, ଆଗାମୀ ଲୋକସଭା ନିର୍ବାଚନରେ ଏନ୍‌ଡିଏ ବିରୋଧରେ ପିଡିଏର ବାଜିମାତ୍‌ ହେବ। ଏଥିର ସେ ପିଡିଏ (ପଛୁଆ ବର୍ଗ, ଦଳିତ ଓ ଅଳ୍ପସଂଖ୍ୟକ)କୁ ପ୍ରସଙ୍ଗ କରି ଆସନ୍ତା ୨୦୨୪ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି।

ଗୁରୁବାର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ଅନ୍ୟ ଦଳକୁ ବୋକା ବନାଇଥିବା ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି। ଏହାପରେ ସାମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସ ବିରୋଧରେ ୧୮ଟି ଆସନରେ ନିଜର ପ୍ରାର୍ଥୀ ଦେଇଛି।

ଇଣ୍ଡିଆ ମେଣ୍ଟ ଗଠନ ବେଳେ ଦଳ ଦଳ ଭିତରେ ଥିବା କନ୍ଦଳ ଶୀଘ୍ର ସମାଧାନ ହେବ ବୋଲି କୁହାଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯାହା ଘଟିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଅଖିଲେଶ ଯାଦବଙ୍କ ଅସନ୍ତୋଷକୁ ନେଇ ମଧ୍ୟପ୍ରଦେଶର କଂଗ୍ରେସ ୟୁନିଟ୍ କହିଛି, ଇଣ୍ଡିଆ ମେଣ୍ଟ କେବଳ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହୋଇଛି। ରାଜ୍ୟରେ ଏହାକୁ ନେଇ ଦଳ ଦଳ ମଧ୍ୟରେ କୌଣସି ପ୍ରକାର ଡିଲ୍‌ ହୋଇନି।

ସେପଟେ ସାମାଜବାଦୀ ପାର୍ଟି କହିଛି, ଯଦି ରାଜ୍ୟରେ ଏମାନଙ୍କର ମେଣ୍ଟ କରିବାର କୌଣସି ଉଦ୍ଦେଶ୍ୟ ନଥିଲା, ତାହା ପୂର୍ବରୁ ଜଣାଇଥିଲେ ଭଲ ହୋଇଥାନ୍ତା। ନହେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ସହ ତିନି ତିନି ଥର ବୈଠକ କରିବାର କୌଣସି ଆବଶ୍ୟକତା ନଥିଲା।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ମେଣ୍ଟ ତିଆରି ହେଲା ବେଳେ ବିଜେପି କହିଥିଲା, ‘ଏମାନଙ୍କ ଉଦ୍ଦେଶ୍ୟ ଭିନ୍ନ ଭିନ୍ନ। କିନ୍ତୁ ଏମାନେ ଏକାଠି ଅଛନ୍ତି ବୋଲି କେବଳ ଲୋକଙ୍କୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ମେଣ୍ଟ ଭିତରେ କୌଣସି ଏକତା ନାହିଁ।’ ସେପଟେ ଏହାର ଜବାବରେ ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଥିଲା, ‘ଦଳ ଦଳ ଭିତରେ ଯେଉଁ ବିବାଦ ସୃଷ୍ଟି ହେବ ତାକୁ ଯଥାଶୀଘ୍ର ସମାଧାନ କରିବାକୁ ଗୁରୁତ୍ୱ ଦିଆଯିବ।’

 

Leave a Reply

Your email address will not be published. Required fields are marked *