
ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ ଏହି ଅବସରରେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ, ମହିଳାମାନେ ରିମାଟଏଡ୍ ଆର୍ଥ୍ରାଇଟିସ୍ରେ ଅଧିକ ପ୍ରଭାବିତ ହୁଅନ୍ତି। ସେହିପରି ପୁରୁଷଙ୍କ କ୍ଷେତ୍ରରେ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ଅଧିକ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଡ. ଦେ ସୂଚନା ଦେଇଛନ୍ତି। ଏମ୍ସ ଭୁବନେଶ୍ୱରରେ ଉପରୋକ୍ତ ରୋଗର ଚିହ୍ନଟ ଏବଂ ନିରାକରଣ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଉପଲବ୍ଧ ରହିଛି। ଚିକିତ୍ସା ନିମନ୍ତେ ଔଷଧ ସହିତ ଫିଜିଓଥେରାପି ନିମନ୍ତେ ପରାମର୍ଶ ଦିଆଯାଇଥାଏ। ଏମ୍ସରେ ଏନେଇ ପିଏମ୍ଆର ବିଭାଗ ରହିଛି।
ବର୍ତ୍ତମାନ ଭାରତରେ ୭ କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ। ବୟସାଧିକଜନୀତ ସମସ୍ୟା, ସଂକ୍ରମଣ, ଅଟୋଇମ୍ୟୁନ୍ ସମସ୍ୟା ଆଦି ଏହି ରୋଗର କିଛି ପ୍ରମୁଖ କାରଣ ଅଟେ। ମଦ୍ୟପାନ ଏବଂ ଧୂମପାନ ଏହି ରୋଗକୁ ଅଧିକ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ ଉପଲବ୍ଧ ଚିକିତ୍ସା ଅତ୍ୟନ୍ତ ପ୍ରଭାବଶାଳୀ। ଏହାର ଉପଯୋଗ କରି ରୋଗୀ ଯନ୍ତ୍ରଣାମୁକ୍ତ ଜୀବନ ବିତାଇ ପାରିବେ। ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏମ୍ସ ମେଡିସିନ୍ ବିଭାଗକୁ ରିମାଟଏଡ୍, ସୋରିଏଟିକ୍, ରିଆକ୍ଟିଭ୍ ଆର୍ଥ୍ରାଇଟିସ୍, ଲୁପ୍ସ, ସିଷ୍ଟମିକ୍ ସ୍କ୍ଲେରୋସିସ୍, ସୋଗ୍ରେନ୍ ସିଣ୍ଡ୍ରୋମ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଆଦି ସମସ୍ୟାରେ ପିଡ଼ୀତ ରୋଗୀ ଚିକିତ୍ସା ନିମନ୍ତେ ଆସିଥାଆନ୍ତି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଅଷ୍ଟିଓ-ଆର୍ଥ୍ରାଇଟିସ୍ ଭଳି ସମସ୍ୟା ଦେଖାଯାଇଥାଏ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ଅନୁପମ ଦେ, ଡ. ରଶ୍ମୀ ରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ, ଡ. ଅନୁପମା ବେହେରା, ପିଏମ୍ଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଗୁରୁଦ୍ବୀପ ଦାସ ପ୍ରମୁଖ ଏହି ଅବସରରେ ଏହି ରୋଗର ଲକ୍ଷଣ, ନିଦାନ ଏବଂ ଉପଚାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।