
ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ। ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କ ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ଅଧୀନ ୱେଟ୍ ଲ୍ୟାଣ୍ଡ ଅଫ୍ ଇଣ୍ଟରନ୍ୟାଶନାଲ ଇମ୍ପୋର୍ଟାନ୍ସରେ ସ୍ଥାନିତ ହୋଇଛି। ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି (ଷ୍ଟପ୍ ଓଭର ପଏଣ୍ଟ) ଭାବେ କାର୍ଯ୍ୟ କରେ। ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଚିଲିକାର ସ୍ବତନ୍ତ୍ର ପରିଚୟ ରହିଛି। ଏଥିସହିତ ଚିଲିକାର ଲୁଣାପାଣି ଏକ ସମୃଦ୍ଧ ଜୈବ ବିବିଧତାକୁ ସମର୍ଥନ କରେ। ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ହୋଇଛି ଓ ସେମାନଙ୍କ ଆଞ୍ଚଳିକ ଅର୍ଥନୀତି ପ୍ରତି ଯୋଗଦାନ ରହିଛି। ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଈ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ଯ୍ୟକଳାପ ଯୋଗୁ ଚିଲିକା ପର୍ଯ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ହୋଇପାରିଛି। ଚିଲିକାରେ ଡିଜେଲ ଚାଳିତ ମୋଟର ବୋଟ୍ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି। ଏହି ପ୍ରକାର ବୋଟ୍ରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁଥିବାରୁ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଏବଂ ବୋଟ୍ ଶବ୍ଦରୁ ଶବ୍ଦ ପ୍ରଦୂଷଣ ହୋଇଥାଏ। ଏଥିଯୋଗୁ ଜଳ ପରିସଂସ୍ଥାରେ ଅସନ୍ତୁଳନ ଦେଖାଦେବା ସହ ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ ଡଲଫିନ୍ ମାଛଙ୍କ ଗତିପଥ ମଧ୍ୟ ହ୍ରଦରୁ ଦୂରେଇ ଯାଉଥିବା ଆଶଙ୍କା ରହୁଛି। ସୌରଚାଳିତ ବା ବ୍ୟାଟେରି ଚାଳିତ ବୋଟ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିକାଂଶରେ ବ୍ୟୟସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହୋଇଥାଏ। ଏହି ଅବସରରେ ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରିଚାଳିତ ବୋଟ୍ ମଡେଲଗୁଡ଼ିକ ପ୍ରଦର୍ଶିତ କରାଯାଇଥିଲା। ବର୍ତ୍ତମାନ ରହିଥିବା ମାଛଧରା, ପର୍ଯ୍ୟଟକ ଡଙ୍ଗାଗୁଡ଼ିକରେ ନିର୍ମାଣ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ।