
ଇସ୍ରାଏଲୀ ସେନା ଦ୍ବାରା ହମାସ୍ ସୁଡ଼ଙ୍ଗକୁ ‘ଗାଜା ମେଟ୍ରୋ’ ଭାବେ ବିବେଚନା କରାଯାଇଛି। ଗାଜାକୁ ପଠାଯାଇଥିବା ମାନବୀୟ ସହାୟତା ହମାସ୍ କାର୍ଯ୍ୟକ୍ରମର ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟବହାର ହୋଇଛି ବୋଲି ଇସ୍ରାଏଲ ସେନା ଦାବି କରିଛି। ଗତ ଅକ୍ଟୋବର ୭ ତାରିଖରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ ଉପରେ କରିଥିବା ଅଚାନକ ଆକ୍ରମଣରେ ଏହି ସୁଡ଼ଙ୍ଗଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ଏହା ଇସ୍ରାଏଲ ଗୁଇନ୍ଦାର ସବୁଠୁ ବଡ଼ ବିଫଳତା ଥିଲା। ଗାଜା ସହ ଇସ୍ରାଏଲର ସୀମାରେ ଅତ୍ୟାଧୁନିକ ସେନ୍ସର ଲାଗିଛି। ଏହା କୌଣସି ପ୍ରକାର ଗତିବିଧି ସଂକ୍ରାନ୍ତରେ ଆଗୁଆ ସୂଚନା ଦେଇପାରିବ। କିନ୍ତୁ ହମାସ୍ ଗୋଷ୍ଠୀର ଆଚନକ ଆକ୍ରମଣ ପୂର୍ବରୁ ଏନେଇ କୌଣସି ସଙ୍କେତ ମିଳିନଥିଲା। ହମାସ ଗୋଷ୍ଠୀର ଏହି ଗୁପ୍ତ ସୁଡ଼ଙ୍ଗ ହିଁ ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା କୁହାଯାଉଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗାଜା ସହ ଇସ୍ରାଏଲର ବାଡ଼ ହେଉଛି ୩୦ ଫୁଟ୍ ଉଚ୍ଚ। ଏକ ଅଣ୍ଡରଗ୍ରାଉଣ୍ଡ୍ କଂକ୍ରିଟ୍ ପ୍ରତିବନ୍ଧକ ମଧ୍ୟ ରହିଛି। ତେଣୁ ସେମାନେ ବାଡ଼ ଏବଂ ଏହି ପ୍ରତିବନ୍ଧକ ତଳେ ସୁଡ଼ଙ୍ଗ ନଖୋଳି ଇସ୍ରାଏଲରେ କିଭଳି ପ୍ରବେଶ କଲେ ବୋଲି ପ୍ରଶ୍ନ ଉଠିଛି। ହମାସମାନେ ପଣବନ୍ଦୀ ରଖିଥିବା ଇସ୍ରାଏଲୀ ନାଗରିକଙ୍କୁ ଏହି ସୁଡ଼ଙ୍ଗ ଭିତରେ ରଖିଥିବା ଇସ୍ରାଏଲ ବିଶ୍ବାସ କରୁଛି ଏବଂ ଏନେଇ ଚିନ୍ତା ପ୍ରକଟ କରିଛି। ତେବେ ଗାଜା ଷ୍ଟ୍ରିପ୍କୁ ହମାସମାନେ ନିୟନ୍ତ୍ରଣ କରିନେବା ପୂର୍ବରୁ ଏହି ଟନେଲ ନେଟୱର୍କକୁ ଚୋରାଚାଲାଣ ପାଇଁ ବ୍ୟବହାର କରାଯାଉଥିଲା।