
ଖୁଣ୍ଟାକଟା ଗ୍ରାମର ପଞ୍ଚେଇ ଦେଇ ୨୦୧୯ରେ ସ୍ୱର୍ଗବାସ ହେବା ପରେ ତାଙ୍କ ନାଁରେ ୨୦୨୩ ରେ ଆବାସ ଘର ଆସିଛି । ଏପରିକି ଜମି ନଥିବା, ବ୍ୟାଙ୍କ ଆକାଉଣ୍ଟ ନଥିବା ହିତାଧିକାରୀଙ୍କୁ ମଧ୍ୟ ୱାର୍କ ଅର୍ଡର ମିଳିଛି, ଯାହା ଦୁର୍ନୀତିକୁ ଦର୍ଶାଉଛି । ବିକାଶ ପରିବର୍ତ୍ତେ ମୋଦୀ ଦେଉଥିବା ଅର୍ଥ ବିଜେଡି ନେତାଙ୍କ ପକେଟ ଗରମ କରୁଛି । ଏହା ଓଡ଼ିଆ ଲୋକଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ରତ୍ନଗର୍ଭା ଆଠଗଡ଼ ମାଟି ‘କୁଜିବରପତ୍ର’ର ପ୍ରତିଷ୍ଠାତା ସାଧୁ ସୁନ୍ଦର ଦାସଙ୍କ ମାଟି, ପଦ୍ମଭୂଷଣ ଡକ୍ଟର ରାଧାନାଧ ରଥଙ୍କ ଜନ୍ମଭୂମି ଓ ଜନନାୟକ ପବିତ୍ର ମୋହନ ପ୍ରଧାନଙ୍କ କର୍ମଭୂମି । ଏହି ମାଟି ଯୁବ ବୈଜ୍ଞାନିକ ଇନ୍ଦ୍ରଜିତ ସାହୁଙ୍କ ପରି ସୁପୁତ୍ରଙ୍କୁ ଜନ୍ମ ଦେଇଛି । ଓଡ଼ିଶାର ‘ପରିବା ଝୁଡ଼ି’ ଆଠଗଡ଼ ଚାଷୀ ମାନଙ୍କର ବିକାଶ ଓ ପରିଶ୍ରମର ପରାକାଷ୍ଠାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଗଡଜାତ ଅଞ୍ଚଳ ଆଠଗଡ ସର୍ବଦା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢିବା ଶିଖାଇଛି । ସେଭଳି କ୍ଷେତ୍ରରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଆୟୋଜିତ ସଂକଳ୍ପ ସମାବେଶରେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ଅଭୁତପୂର୍ବ ।
କିନ୍ତୁ ସେହି ଆଠଗଡ଼ ଭଳି ଚଷାଚାଷୀ ଅଞ୍ଚଳରେ ଶୀତଳ ଭଣ୍ଡାର ନଥିବା ଦୁଃଖର ବିଷୟ । ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପର୍ଯ୍ୟାପ୍ତ ଟଙ୍କା ପଠାଉଥିବା ବେଳେ ଓଡ଼ିଶା ସରକାର ଭୋଟ ମାୟାରେ ବାୟା ହୋଇଯାଇଛନ୍ତି । କେବଳ ଫଟୋ ଛପାଇ ନାଁ ନେବାର ଯୋଜନା କରାଯାଉଛି । ଆଠଗଡର ସମବାୟ ସଂସ୍ଥାର ଦୁର୍ନୀତି ହାଟରେ ପଡି ଦାଣ୍ଡରେ ଗଡୁଛି । ମହିଳାମାନେ ନିର୍ଯ୍ୟାତିତ । ଯୁବକମାନେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦୀ ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । ଆଜି ଦେଶରେ ପ୍ରଧାନମନ୍ତ୍ରୀ ମା’ ମାନଙ୍କର ଆସ୍ଥାର ପ୍ରତୀକ ଓ ସ୍ୱାଭିମାନର ଛବି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୦୦ ଟଙ୍କା ସବସିଡି ବଢାଇବା, ଆବାସ ଯୋଜନାରେ ଘର, ଶୌଚାଳୟ, ପାନୀୟ ଜଳ, ଜନଧନ, ମୁଦ୍ରା, ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ, ଲକ୍ଷପତି ଦିଦି, ମହିଳା ଚାଷୀଙ୍କୁ ଡ୍ରୋନ ସହ ଯୋଡିବା ଭଳି ବିଭିନ୍ନ ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ । ଆଠଗଡ ସମେତ ବିଭିନ୍ନ ସ୍ଥାନୀୟ ସ୍ଥାନରେ ତାଙ୍କୁ ପାରମ୍ପରିକ ଭାବରେ ସ୍ୱାଗତ କରାଯାଇଥିଲା ।