Spread the love

 

Lootera_1697281128

ଭୁବନେଶ୍ବର : ନିଜର ଆକର୍ଷଣୀୟ ଚେହେରାରେ ଫସାଉଥିଲେ। ଆଉ ନିଶା ଦେଇ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ୍‌ରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ମୁସ୍କାନ ଓରଫ ସରିଫା ଖାତୁନ୍‌। ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ମୁସ୍କାନ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି।
ମୁସ୍କାନ କେମିତି ବିଛାଉଥିଲା ଜାଲ? ରାଜଧାନୀର ରାତି ପାହି ପାହି ଆସୁଥିଲା। ପୂରା ଅନ୍ଧକାର ହଟି ନଥିଲା। ତାହାରି ଭିତରେ ନିଜକୁ ସଜେଇ ହୋଇ ନିଜ ଗ୍ୟାଙ୍ଗକୁ ଧରି ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚୁଥିଲେ ମୁସ୍କାନ। ଆଉ ଜଣେ ଯାତ୍ରୀଙ୍କ ପରି ନିଜ ଗ୍ୟାଙ୍ଗର ଅଟୋରେ ବସୁଥିଲେ। ସେପଟେ ଟ୍ରେନ୍‌ରେ ଲମ୍ୱା ଯାତ୍ରା କରି ଓହ୍ଲାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଯେଉଁ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଉଥିଲେ, ମୁସ୍କାନଙ୍କ ଇଶାରାରେ ସେମାନଙ୍କୁ ଡାକୁଥିଲା ଅଟୋ ଚାଳକ। ଅଟୋର ପଛ ସିଟ୍‌ରେ ଜଣେ ସୁନ୍ଦର ମହିଳା ବସିଥିବା ଭାବି ଯାତ୍ରୀ ଜଣକ ଚାଲି ଯାଉଥିଲା।
କିଛି ବାଟଗଲା ପରେ ନିଦ ଆସିବାର ବାହାନା କରି ଚାଳକ ଅଟୋ ଅଟକାଉଥିଲା। ଆଉ ଚାହା ପିଇବା ପାଇଁ ମୁସ୍କାନଙ୍କୁ ପ୍ରସ୍ତାବ ଦେଉଥିଲା। ମୁସ୍କାନ ସଙ୍ଗେ ସଙ୍ଗେ ହଁ ମାରୁଥିଲେ। ଏହା ପରେ ଅଟୋବାଲା ଯାଇ ଚାହା ଆଣୁଥିଲା। ଆଉ ଅଟୋରେ ବସିଥିବା ଯାତ୍ରୀଙ୍କୁ ଚାହା ପିଇବାକୁ ଦେଉଥିଲା। ତାଙ୍କୁ ନିଶା ବଟିକା ମିଶା ଚାହା ପିଇବାକୁ ଦେଉଥିବା ବେଳେ ସେମାନେ(ମୁସ୍କାନ ଓ ଅଟୋ ଚାଳକ) ଭଲ ଚାହା ପିଉଥିଲେ। ନିଶା ବଟିକା ମିଶା ଚାହା ପିଇବା ପରେ ଯାତ୍ରୀ ଜଣକ ସଂଜ୍ଞା ହରାଇ ପଡ଼ି ଯାଉଥିଲା। ତାଙ୍କୁ କୌଣସି ଏକ ନିଛାଟିଆ ସ୍ଥାନରେ ପକାଇ ଦେଇ ତାଙ୍କର ଲଗେଜ ଖୋଲି ସବୁ ଟଙ୍କା ଓ ଅନ୍ୟାନ୍ୟ ଜୀନିଷ ନେଇ ଯାଉଥିଲେ।
ଏପରି ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ତତ୍ପର ହୋଇଥିଲା। ମାମଲା ରୁଜୁ କରି ଖୋଳତାଡ କରିଥିଲା। ତଦନ୍ତ ବେଳେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁସ୍କାନ ବୋଲି ଜଣାପଡ଼ିବାକୁ ପାଇଥିଲା। ପରେ ପୁଲିସ୍‌ ମୁସ୍କାନକୁ ଧରିଥିଲା। ଏଥିସହ ତାଙ୍କ ଗ୍ୟାଙ୍ଗର ନୟାଗଡ଼ ଜିଲ୍ଲା ସୁଶାନ୍ତ ରାଉତ, ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମର ଲଣ୍ଡା ଓରଫ ଅଶୋକ ବେହେରାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୁଲିସ୍‌। ଏହି ୩ ଜଣଙ୍କ ନାଁରେ ବହୁ ଲୁଟ୍‌, ଡକାୟତି ଓ ଛିନ୍‌ତାଇ ମାମଲା ରହିଛି।
ଭୁବନେଶ୍ୱର ଜୋନ୍‌-୧ ଏସିପି ମାନସ ରଂଜନ ଗଡ଼ନାୟକଙ୍କ କହିବା ଅନୁସାରେ ଲଣ୍ଡା ନାଁରେ ଥିବା ମାର୍ଡର ମାମଲାର ଟ୍ରାଏଲ ଏବେ ଚାଳିଛି। ପୂର୍ଣ୍ଣଚନ୍ଦ୍ର ସେଠୀ ଜଟଣୀରେ ହୋଇଥିବା ଫାୟାରିଂ ମାମଲାରେ ସମ୍ପୃକ୍ତ ରହିଛି। ସେହିପରି ସୁଶାନ୍ତ ରାଉତ ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ସକ୍ରିୟ ରହିଛି। ଡ୍ରଗ୍ସ କାରବାର ମାମଲାରେ ସେ ବିଶାଖାପାଟଣା ଜେଲ୍‌ରେ ଥିଲା। ମାସେ ହେଲା ଜେଲରୁ ବାହାରି ଆସିଛି।

 

Leave a Reply

Your email address will not be published. Required fields are marked *