
ବନ୍ଦେଭାରତ ଏକ୍ସପ୍ରେସ୍ ପୁରୀରୁ ଭୋର୍ ୫ଟାରେ ବାହାରି ନିର୍ଦ୍ଧାରିତ ସମୟର ୧୭ ମିନିଟ୍ ପୂର୍ବରୁ ଅର୍ଥାତ୍ ଦିନ ୧୨.୨୮ରେ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚି ଯାଇଥିଲା। ଉଭୟ ଏକ୍ଜିକ୍ୟୁଟିଭ୍ ଓ ଚେୟାର୍ କାରରେ ପ୍ରଥମ ଦିନରେ ପୁରୀରୁ ରାଉରକେଲା ଯାଏ ମୋଟ ୨୧୪ ଜଣ ଯାତ୍ରା କରିଥିଲେ। ଅର୍ଥାତ୍, ୩୧୭ଟି ସିଟ୍(୫୯.୮୧%) ଖାଲି ପଡ଼ିଥିଲା। ପୁରୀ ଷ୍ଟେସନରେ ୩୮ ଜଣ ଯାତ୍ରୀ ଚଢ଼ିଥିବାବେଳେ ଖୋର୍ଦ୍ଧାରେ ୨ ଜଣ, ଭୁବନେଶ୍ବରରେ ୧୨୫ ଜଣ, କଟକରେ ୩୯ ଜଣ, ଢ଼େଙ୍କାନାଳରେ ୩ ଜଣ, ତାଳଚେର ରୋଡ୍ରେ ୫ ଜଣ, ଅନୁଗୁଳରେ ଜଣେ ଓ ଝାରସୁଗୁଡ଼ା ଷ୍ଟେସନରେ ଜଣେ ଯାତ୍ରୀ ଚଢ଼ିଥିଲେ। ତେବେ ରେଢ଼ାଖୋଲ ଓ ସମ୍ବଲପୁର ସିଟି ଷ୍ଟେସନରେ ଜଣେ ବି ଯାତ୍ରୀ ଚଢ଼ିନଥିଲେ। ଆସିବା ସମୟରେ ବିଭିନ୍ନ ଷ୍ଟେସନରେ ଯାତ୍ରୀ ଓହ୍ଲାଇଥିଲେ। ବିଶେଷକରି ଭୁବନେଶ୍ବର ରେଳ ଷ୍ଟେସନରେ ଜଣେ ଯାତ୍ରୀ ଓହ୍ଲାଇଥିବାବେଳେ ଢ଼େଙ୍କାନାଳରେ ୨ ଜଣ, ତାଳଚେର ରୋଡ୍ରେ ୩, ଅନୁଗୁଳରେ ୨୨, ରେଢ଼ାଖୋଲରେ ୨, ସମ୍ବଲପୁର ସିଟିରେ ୬୩, ଝାରସୁଗୁଡ଼ାରେ ୩୬ ଓ ରାଉରକେଲା ଷ୍ଟେସନରେ ୮୫ ଜଣ ଓହ୍ଲାଇଥିଲେ। ଟ୍ରେନ୍ ରାଉରକେଲାରେ ପ୍ରାୟ ୧ ଘଣ୍ଟା ୪୦ ମିନିଟ୍ ରହିବା ପରେ ଅପରାହ୍ଣ ୨.୧୦ରେ ପୁରୀ ଅଭିମୁଖେ ବାହାରିଥିଲା। ତେବେ ଆସିବା ତୁଳନାରେ ଯିବା ସମୟରେ ଯାତ୍ରୀ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା। ଯିବା ସମୟରେ ବିଭିନ୍ନ ଷ୍ଟେସନ୍ରୁ ୩୭୦ ଜଣ ଯାତ୍ରୀ ଚଢ଼ିଥିଲେ ଓ ୧୬୦ଟି (୩୦.୧୮%) ସିଟ୍ ଖାଲି ପଡ଼ିଥିଲା।