
ମଙ୍ଗଳବାର ବିଳମ୍ବିତ ରାତିରେ ମଥୁରା ଜଙ୍କସନରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଟ୍ରେନଟି ଧାରଣାରୁ ବାହାରି ଦୁଇ ନଂ ପ୍ଲାଟଫର୍ମ ଉପରକୁ ମାଡି ଯାଇଥିଲା। ରେଲୱେ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଦୁର୍ଘଟଣା ଘଟିଥିବା ଟ୍ରେନ୍ ଇଞ୍ଜିନ ଭିତରେ ଲାଗିଥିବା ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।
ଭିଡିଓ ଅନୁସାରେ, ଲୋକପାଇଲଟ ଟ୍ରେନ ଇଞ୍ଜିନକୁ କାହା ସହ ଭିଡିଓ କଲରେ କଥା ହୋଇ ହୋଇ ଚଢୁଛନ୍ତି। ଫୋନରେ ବ୍ୟସ୍ତ ଥିବା ବେଳେ ଟ୍ରେନ୍ ଇଞ୍ଜିନ ଥ୍ରଟର ଉପରେ ତାଙ୍କ ବ୍ୟାଗ୍ ରଖି ଦେଉଛନ୍ତି। ଫଳରେ ଟ୍ରେନରେ ଚାଲିବା ଆରମ୍ଭ କରିଥିଲା। ଟ୍ରେନକୁ ଆୟତ୍ତକୁ ନ ଆଣିପାରିବାରୁ ସିଧା ଯାଇ ପ୍ଲାଟଫର୍ମ-2 ଉପରେ ମାଡି ଯାଇଥିଲା।
ସୌଭାଗ୍ୟବଶତଃ ଏହି ସମୟରେ ଗାଡିରେ କୌଣସି ଯାତ୍ରୀ ନଥିଲେ କି ପ୍ଲାଟଫର୍ମରେ ବି ଲୋକ ନଥିଲେ। କିନ୍ତୁ ଏକ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି। ଯାଞ୍ଚ ରିପୋର୍ଟ ଅନୁସାରେ ଲୋକ ପାଇଲଟ ହାଲୁକା ନିଶାରେ ଥିବା କୁହାଯାଉଛି। ମାତ୍ର ଏଯାଏଁ କୌଣସି ଯାଞ୍ଚ ରିପୋର୍ଟ ଜାରି କରାଯାଇ ନାହିଁ। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।