
ସୂଚନା ଅନୁସାରେ ପାଟନା ସହରର ଖୁସରୁପୁର ଥାନା ଅଧିନସ୍ଥ ଗାଁରେ ଏକ ଆଦିବାସୀ ଗୋଷ୍ଠି ରହୁଛନ୍ତି । ଏଠାରେ ରହୁଥିବା ଉକ୍ତ ମହିଳା କିଛି ଦିନ ପୂର୍ବରୁ ଗାେଁର ରହୁଥିବା ପ୍ରମୋଦ ସିଂ ନାମକ ବ୍ୟକ୍ତି ଠାରୁ ୧୫୦୦ ଟଙ୍କା ଧାର ନେଇଥିଲେ । ପିଡ଼ିତା ମହିଳାଙ୍କ ଅନୁସାରେ ସେ ପୂର୍ବରୁ ହିଁ ପ୍ରମୋଦଙ୍କୁ ୧୫୦୦ ଟଙ୍କା ସହିତ ସୁଧ ଟଙ୍କା ବି ଫେରାଇଥିଲେ । କିନ୍ତୁ ପ୍ରମୋଦ ବାରମ୍ବାର ୧୫୦୦ ଟଙ୍କା ପାଇଁ ମହିଳାଙ୍କ ପାଖକୁ ଆସୁଥିଲା ।
ତେବେ ଶନିବାର ସକାଳେ ପ୍ରମୋଦ ମହିଳାଙ୍କୁ ମାରପିଟ କରିବା ସହ ନିର୍ବସ୍ତ୍ର କରି ଗାଁରେ ବୁଲାଇବାର ଧମକ ମଧ୍ୟ ଦେଇଥିଲା । ମହିଳା ଏବଂ ତାଙ୍କ ପରିବାର ଲୋକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସେହି ଦିନ ରାତି ପ୍ରାୟ ୧୦ଟା ସମୟରେ ମହିଳା ଘରୁ ବାହାରିବା ସମୟରେ ହିଁ ପ୍ରମୋଦ ନିଜ ପୁଅ ଅଂଶୁ ଏବଂ ଅନ୍ୟ ୪ ଜଣଙ୍କ ସହ ମହିଳାଙ୍କୁ ଧରିଥିଲା । ପ୍ରମୋଦ ମହିଳାଙ୍କୁ କହିଥିଲା ତୋ ସ୍ୱାମୀ ମୋ ପାଖରେ ଅଛି । ଯଦି ତୁ ଆମ ସହ ନ ଯିବୁ ତୋ ସ୍ୱାମୀକୁ ଆମେ ମାରିଦେବୁ । ମହିଳା ଏଭଳି କଥାରେ ଡରି ଯାଇଥିଲେ ଏବଂ ନିଜ ସ୍ୱାମୀକୁ ବଞ୍ଚାଇବା ପାଇଁ ସେ ଅଭିଯୁକ୍ତମାନଙ୍କ ସହ ଚାଲି ଯାଇଥିଲେ ।
ପ୍ରମୋଦ ନିଜ ଘରକୁ ମହିଳାଙ୍କୁ ନେଇ ଆସିଥିଲେ । ଆଉ ତାପରେ କରିଥିଲେ ଅମାନବୀୟ ଘଟଣା । ସେଠାରେ ତାଙ୍କୁ ଉଲଗ୍ନ କରି ବାଡ଼ିରେ ପିଟିବାରେ ଲାଗିଥିଲେ ଅଭିଯୁକ୍ତ । କେବଳ ଏତିକିରେ ମନ ବୁଝି ନଥିଲା ଏମାନଙ୍କର । ପ୍ରମୋଦ କହିବା ପରେ ତା ପୁଅ ଅଂଶୁ ମହିଳାଙ୍କ ମୁହଁରେ ପରିସ୍ରା କରିଥିଲା । ପରିସ୍ରାକୁ ମହିଳାଙ୍କୁ ପିଆଇଥିଲା ଅଂଶୁ । ମାରପିଟରେ ମହିଳାଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । କୌଣସି ପ୍ରକାରେ ମହିଳା ସେଠାରୁ ଖସି ପଳାଇ ଆସିବାକୁ ସମର୍ଥ ହୋଇଥିଲେ । ବିନା ଲୁଗାରେ ଉଲଗ୍ନ ହୋଇ ମହିଳା ନିଜ ଘରେ ପହଞ୍ଚିଥିଲେ ।
ମହିଳାଙ୍କ ଅଭିଯୋଗ କ୍ରମେ ଖୁସରୁପୁର ପୋଲିସ ପ୍ରମୋଦ ଏବଂ ତା ପୁଅ ସହ ଅନ୍ୟ ବ୍ୟକ୍ତିଙ୍କ ଉପରେ ଏସସି-ଏସଟି ଆକ୍ଟ ମାମଲା ରୁଜ୍ଜୁ କରିଛି । ଘଟଣାର ଅଧିକ ତଦନ୍ତ ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କେହି ବି ଗିରଫ ହୋଇ ନଥିବା ସୂଚନା ମିଳିଛି ।