
କେଟିଏଫ୍ ମୁଖ୍ୟ ହରଦୀପ ସିଂହ ନିଜାରର ସହଯୋଗୀ ତଥା ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ପାଲଟିଥିବା ମୋଗା ବାସିନ୍ଦା ଡାଲା ପଞ୍ଜାବର ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ପଞ୍ଜାବ ପୁଲିସ ଡାଲାର ଅନେକ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିସ୍ଫୋରକ ସାମଗ୍ରୀ, ହ୍ୟାଣ୍ଡ ଗ୍ରେନେଡ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚଳିତ ବର୍ଷ ଏନ୍ଆଇଏର ସୁପାରିସ କ୍ରମେ ଡାଲାକୁ ଆତଙ୍କବାଦୀ ଘୋଷଣା କରିଥିଲା ଏବଂ ଇଣ୍ଟରପୋଲ ଗତବର୍ଷ ଆର୍ସିଏନ ଜାରି କରିଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ଏନ୍ଆଇଏ ଲାଣ୍ଡାକୁ ଧରାଇଦେବା ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ତରଣତାରଣ ଜିଲ୍ଲାର ହରିକେର ମୂଳ ବାସିନ୍ଦା ଲାଣ୍ଡା ଏବେ କାନାଡାର ଆଲବର୍ଟାର ଏଡମଣ୍ଟନରେ ବସବାସ କରୁଛି। ଏନ୍ଆଇଏ ୨୦୨୨ରେ ଲାଣ୍ଡା ବିରୋଧରେ ଦିଲ୍ଲୀରେ ୟୁଏପିଏ ଅଧୀନରେ ଏକ ମାମଲା ରୁଜୁ କରିଥିଲା। ଗତବର୍ଷ ମେ ୯ ତାରିଖରେ ମୋହାଲିସ୍ଥିତ ପଞ୍ଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆର୍ପିଜି ଆକ୍ରମଣ ପାଇଁ ଏନ୍ଆଇଏ ତାକୁ ଖୋଜୁଛି। ପଞ୍ଜାବ ପୁଲିସର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ସୁରେରେ ରହୁଥିବା ଭାରତବିରୋଧୀ ଆତଙ୍କବାଦୀ ମାଲକିତ ସିଂହ ଓରଫ ଫୌଜି, କାନାଡାର ହାମିଲଟନରେ ରହୁଥିବା ଗୁରଜିନ୍ଦର ସିଂହ ପନ୍ନୁ, ଅଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନ୍ ସହରରେ ରହୁଥିବା ଗୁରପ୍ରୀତ ସିଂହ, ବ୍ରାମ୍ପଟନ୍ ଓ ଟରୋଣ୍ଟୋରେ ରହୁଥିବା ଗୁରଜିତ୍ ସିଂହ ଚିମା ଏବଂ ଟରଣ୍ଟୋରେ ରହୁଥିବା ତେହଲ ସିଂହ ବିରୋଧରେ ଆରସିଏନ୍ ଜାରି କରିସାରିଛି।