ଗଣେଶ, ଗଣପତି, ବିନାୟକ ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ।
ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା : ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ ଇତ୍ୟାଦି ।
ଗଣେଶଙ୍କ ଦ୍ବାଦଶ ନାମ : ଏକଦନ୍ତ, କୃଷ୍ଣପିଙ୍ଗାକ୍ଷ, ଗଣପତି, ଗଜବକ୍ର, ଗଜାନନ, ବକ୍ରତୁଣ୍ଡ, ବିକଟ, ବିଘ୍ନରାଜେନ୍ଦ୍ର, ବିନାୟକ, ଧୂମ୍ରବର୍ଣ୍ଣ, ଭାଲଚନ୍ଦ୍ର, ଲମ୍ବୋଦର
ଗଣେଶ ଆଦିଦେବ ଭାବରେ ପରିଚିତ।ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ। ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ। ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ। ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ। କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।
ପ୍ରଥମ ପୂଜ୍ୟ ଶ୍ରୀଗଣେଶ । ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ , ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ। କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।
ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ । ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।