
ତେଣୁ ମିଡିଆ ଟ୍ରାଏଲକୁ ଅନୁମତି ଦିଆଯାଇପାରିବ ନାହିଁ। ତଦନ୍ତ ଚାଲିଥିବାବେଳେ ଯଦି ଗୁରୁତ୍ବପୂର୍ଣ୍ଣ ପ୍ରମାଣର ପ୍ରଘଟ ହେଲେ ଯାଞ୍ଚ ପ୍ରଭାବିତ ହୋଇଥାଏ। ଏହି ସମୟରେ ଅଭିଯୁକ୍ତର ଅଧିକାରର ମଧ୍ୟ ଧ୍ୟାନ ରଖିବା ଜରୁରୀ। କାରଣ ସେ ମଧ୍ୟ ନିରପେକ୍ଷ ଏବଂ ସ୍ବାଧୀନ ଯାଞ୍ଚ ଆଶା କରିଥାଏ। ଏଭଳି ସ୍ଥିତିରେ ମିଡିଆ ଟ୍ରାଏଲ ହେଲେ ତଦନ୍ତ ପ୍ରଭାବିତ ହୋଇଥାଏ। ଏହା ସହିତ ମିଡିଆ ଟ୍ରାଏଲ ଦ୍ବାରା ପୀଡ଼ିତ ଏବଂ ଅଭିଯୋଗକାରୀଙ୍କ ଗୋପନୀୟତାର ମଧ୍ୟ ଉଲ୍ଲଙ୍ଘନ ହୋଇଥାଏ। ବେଳେ ବେଳେ ମାମଲାରେ ନାବାଳକଙ୍କ ମଧ୍ୟ ସମ୍ବନ୍ଧ ରହିଥାଏ। ଏପରି ସ୍ଥିତିରେ ପୀଡ଼ିତଙ୍କ ଗୋପନୀୟତାକୁ ପ୍ରଭାବିତ କରାଯାଇପାରିବ ନାହିଁ।
ଉଭୟଙ୍କ ଅଧିକାରର ଧ୍ୟାନ ରଖିବା ଜରୁରୀ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ତିନି ମାସ ମଧ୍ୟରେ ମିଡିଆ ଟ୍ରାଏଲକୁ ନେଇ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମାସେ ଭିତରେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପରାମର୍ଶ ଦେବା ପାଇଁ ସବୁ ରାଜ୍ୟର ଡିଜିପି ଏବଂ ଜାତୀୟ ମାନବାଧିକାର କମିଶନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରେ ଦାଏର ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ଦ୍ବିତୀୟ ସପ୍ତାହରେ ହେବ। ଖୁବ୍ଶୀଘ୍ର କେନ୍ଦ୍ର ସରକାର ଏ ନେଇ ମାର୍ଗଦର୍ଶିକା ଜାରି କରିବେ ବୋଲି ଆଡିସନାଲ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟ୍ଟୀ କହିଛନ୍ତି।