Spread the love

ଘଟଗାଁ: ମା’ ତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପାଇଁ ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଯାଇଛି। ଫଳରେ ଏଥିରେ ସାମିଲ ହେବା ପାଇଁ ଆସିଥିବା ବିଡରମାନେ ନିରାଶ ହୋଇ ଫେରିଯାଇଛନ୍ତି। ଘଟଗାଁ ମା’ ତାରିଣୀ ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ମାନସିକ ନଡ଼ିଆ ଆସୁଛି। ମା’ଙ୍କ ଠାରେ ଭୋଗ ଲାଗିବା ପରେ ଏହାର ସୁବିନିଯୋଗ ହୋଇପାରୁ ନଥିବାରୁ ଏହା ଗୋଦାମରେ ପଡ଼ିପଡ଼ି ନଷ୍ଟ ‌ହେବାକୁ ବସିଛି। ବର୍ତ୍ତମାନ ମନ୍ଦିର ଗୋଦାମରେ ୧୧ ଲକ୍ଷ ୨୭ ହଜାର ନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି। ଗୋଦାମ ଭର୍ତ୍ତି ହେବା ପରେ ଦୁଇ ନମ୍ବର ଦୋକାନ ଘରେ ନଡ଼ିଆ ରଖାଯାଇଥିବା ଦେଖିବାକୁ ମିଳିଛି। ଗତ ୧ ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲା ନିଲାମ ହେବ ବୋଲି ନୋଟିସ୍‌ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ ହେବ ବୋଲି ନୋଟିସ୍‌ରେ ଉଲ୍ଲେଖ ଥିଲା।

ଆଜି ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଲୋକେ ପହଞ୍ଚିଥିଲେ। ହଠାତ୍‌ ଦିନ ୧୨ଟାବେଳେ ନିଲାମ ପ୍ରକ୍ରିୟା ବାତିଲ ହେଲା ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଥିଲେ। କାରଣ ପଚାରିବାରୁ ଦେବୋତ୍ତର କମିସନରଙ୍କ ନିର୍ଦେଶକ୍ରମେ ୧୫ ଦିନ ପାଇଁ ଭୋଗ ନଡ଼ିଆ ନିଲାମକୁ ବାତିଲ କରାଯାଇଛି। ନଡ଼ିଆ ଗୋଟା ୪ ଟଙ୍କା ୬୦ ପଇସାରେ ଖୋଲା ବଜାରରେ ବିକ୍ରି କରାଯିବ ବୋଲି କୁହାଯାଇଥିଲା। ପୂର୍ବରୁ ୩ ଟଙ୍କା ୭୦ ପଇସାରେ ନଡ଼ିଆ କିଣିବାକୁ ରାଜି ହେଉନଥିବା ଲୋକେ କାହିଁକି ୪ ଟଙ୍କା ୬୦ ପଇସା ଦେଇ କିଣିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ମନ୍ଦିର ଗୋଦାମରେ ଗଚ୍ଛିତ ଥିବା ଭୋଗ ନଡ଼ିଆ ବିକ୍ରି ହୋଇପାରୁ ନଥିବାରୁ ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଗଚ୍ଛିତ ଥିବା ନଡ଼ିଆକୁ ଜାଣିଶୁଣି ଅଳ୍ପ ପରିମାଣରେ ଅଣାଯାଉଥିବା ଅଭିଯୋଗ ହେଉଛି। ଏପରିକି ଗତ ଦୁଇମାସ ହେବ ରାଉରକେଲାରୁ ନଡ଼ିଆ ଆସିନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଖୋଲା ବଜାରରେ ଏତେ ପରିମାଣରେ ଭୋଗ ନଡ଼ିଆ ବିକ୍ରି ହେବା ଆଶା କ୍ଷୀଣ ବୋଲି କୁହାଯାଉଛି। କାରଣ ନଡ଼ିଆ ଗୁଡ଼ିକ ବହୁ ଦିନ ଧରି ପଡ଼ିରହିବା ଯୋଗୁଁ ନଷ୍ଟ ହୋଇଗଲାଣି। ନଡ଼ିଆ କୋରା ବ୍ୟବସାୟୀମାନେ ଏଥିରୁ ବାଛି ବାଛି ନଡ଼ିଆ ନେଉଛନ୍ତି। ବର୍ତ୍ତମାନ ୧୧ ଲକ୍ଷ ୧୭ ହଜାର ନଡ଼ିଆ ଗଚ୍ଛିତ ରହିଛି। ୧୫ ଦିନ ପରେ ଏହି ସଂଖ୍ୟା ୧୫ ଲକ୍ଷକୁ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ରଙ୍କୁ ପଚାରିବାରୁ, କମିସନରଙ୍କ ନିର୍ଦେଶ ପରେ ଖୋଲା ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇଛି। ୧୫ ଦିନ ପର୍ଯ୍ୟନ୍ତ ଖୋଲା ବଜାରରେ ୪ ଟଙ୍କା ୬୦ ପଇସାରେ ନଡ଼ିଆ ବିକ୍ରି ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *