Spread the love

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବ୍ୟାଗରୁ ମିଳିଛି ୭୨ଟି ବିଦେଶୀ ସାପ। ଏହାସହିତ ୬ଟି କାପୁଚିନ୍ ମାଙ୍କଡ଼ର ମୃତଦେହ ମଧ୍ୟ ଜବତ କରାଯାଇଛି। କଷ୍ଟମ୍‌ ଅଧିକାରୀଙ୍କ ସୂଚନା ମୁତାବକ, ବିମାନବନ୍ଦରରୁ ୫୫ଟି ବଲ୍ ଅଜଗର ସହିତ ୧୭ଟି ଅହିରାଜ ଏବଂ ୬ଟି କାପୁଚିନ୍ ମାଙ୍କଡ଼କୁ ଜବତ କରାଯାଇଛି। ତେବେ ରିପୋର୍ଟ ଅନୁସାରେ, ଅଜଗର ଓ ଅହିରାଜ ଜୀବିତ ଥିବାବେଳେ ମାଙ୍କଡ଼ମାନେ ମୃତ ଅବସ୍ଥାରେ ମିଳିଛନ୍ତି।

ବେଙ୍ଗାଲୁରୁ କଷ୍ଟମ୍ସ ପକ୍ଷରୁ ସୂଚନା ରହିଛି ଯେ ଜଣେ ମହିଳା ଏହି ବ୍ୟାଗ୍‌ ଧରି ବ୍ୟାଙ୍କକ୍‌ରୁ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଥିଲେ। ବୁଧବାର ରାତି ସାଢ଼େ ୧୦ଟାରେ ବ୍ୟାଙ୍କକରୁ ଏୟାର ଏସିଆର ବିମାନ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଥିଲା। ଏହି ବିମାନରେ ମୃତ ଏବଂ ଜୀବିତ ପ୍ରାଣୀମାନଙ୍କୁ ଅଣାଯାଇଥିଲା। ବ୍ୟାଙ୍କକ୍‌ରୁ ମହିଳା ଆଣିଥିବା ଏହି ବ୍ୟାଗ୍‌ରେ ସମୁଦାୟ ୭୮ଟି ପ୍ରାଣୀ ଥିଲେ।

କୁହାଯାଇଛି ଯେ ସମସ୍ତ ପ୍ରାଣୀ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅଧୀନରେ ଅନୁସୂଚିତ ଏବଂ CITES ଅଧୀନରେ ତାଲିକାଭୁକ୍ତ। ଏହି ପ୍ରାଣୀମାନଙ୍କୁ ସୀମା ଶୁଳ୍କ ଅଧିନିୟମ, ୧୯୬୨ର ଧାରା ୧୧୦ ଅନୁଯାୟୀ ଜବତ କରାଯାଇଥିଲା।

ସୂଚନା ମୁତାବକ, ଜୀବନ୍ତ ପ୍ରାଣୀମାନଙ୍କୁ ମୂଳ ଦେଶକୁ ପଠାଯାଇଥିବା ବେଳେ ମୃତ ମାଙ୍କଡ଼ମାନଙ୍କୁ ସ୍ୱଚ୍ଛ ରୂପେ ଡିସ୍‌ପୋଜ କରି ଦିଆଯାଇଛି। ବର୍ତ୍ତମାନ ପୂରା ମାମଲାର ତଦନ୍ତ ଚାଲିଛି। ସେପଟେ ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *