Spread the love

ରାୟପୁର: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ଏଥିପାଇଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ରାତ୍ରିଭୋଜନରେ ‌ସାମିଲ ହେବେନି ବୋଲି କହିଛନ୍ତି। ଏହାର କାରଣ ଜଣାଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀକୁ ଏବେ ନୋ-ଫ୍ଲାଇଙ୍ଗ୍ ଜୋନ୍ କରାଯାଇଛି। କେମିତି ଯିବି?

ଏହାପୂର୍ବରୁ ଦିଲ୍ଲୀ ବିମାନବନ୍ଦର ଏକ ବିଜ୍ଞପ୍ତି ଜାରି କରି କହିଥିଲା ଯେ, ଦିଲ୍ଲୀ ବିମାନବନ୍ଦରରେ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ କେବଳ ପୂର୍ବ ନିର୍ଦ୍ଧାରିତ ବିମାନ ଉଡ଼ାଣ-ଅବତରଣ ଏବଂ ଜି-୨୦ ପାଇଁ ଆସୁଥିବା ସ୍ୱତନ୍ତ୍ର ବିମାନ ଉଡ଼ାଣ ଓ ଅବତରଣ ପାଇଁ ଅନୁମତି ଦିଆଯିବ। ଶିଖର ସମ୍ମିଳନୀ ଚାଲିଥିବା ବେଳେ ସାଧାରଣ ବିମାନ ଚଳାଚଳ ଏବଂ ପୂର୍ବରୁ ନିର୍ଦ୍ଧାରିତ ହୋଇନଥିବା ଚାର୍ଟର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିପାରିବେ ନାହିଁ।

ଶନିବାର ହେବାକୁ ଥିବା ରାତ୍ରିଭୋଜନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଂଶଗ୍ରହଣ କରିବେ ବୋଲି ନିଶ୍ଚିତ କରିଛନ୍ତି। INDIA ସହଯୋଗୀମାନଙ୍କ ସହ ଆଲୋଚନା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଯୋଗଦେବେ ବୋଲି ଜଣାଇଛନ୍ତି। ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ରାତ୍ରିଭୋଜନରେ ନିମନ୍ତ୍ରଣ କରାଯାଇନାହିଁ। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *