
ଗତ ନଭେମ୍ବରରୁ ପାକିସ୍ତାନ ସେନା ଉପରେ ଟିଟିପି ତରଫରୁ ବାରମ୍ବାର ଆକ୍ରମଣ ଜାରି ରହିଛି। ଟିଟିପିର ଅଲ୍-କାଇଦା ସଂଗଠନ ସହ ଘନିଷ୍ଠତା ରହିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୨ରେ ଟିଟିପି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପାକିସ୍ତାନ ସେନା ମେଜର ଓ ଯବାନ ପ୍ରାଣ ହରାଇଥିଲେ। ଏହାର ଦୁଇଦିନ ପରେ ଟିଟିପି ତରଫରୁ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୯ ପାକିସ୍ତାନ ସେନା ଯବାନଙ୍କ ଜୀବନ ଯାଇଥିଲା। ପାକିସ୍ତାନ ଓ ଆଫଗାନିସ୍ତାନ ସଂଘର୍ଷ ନୂଆ ନୁହେଁ। ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ହେବାଠାରୁ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସଘର୍ଷ ଜାରି ରହିଛି। ତାଲିବାନ ନିଜର ଆତ୍ମଘାତୀ ବାହିନୀକୁ ସୀମାରେ ସଜାଗ ରଖିଛି। ଆଫଗାନିସ୍ତାନରେ ପୂର୍ବରୁ ଅସ୍ଥିରତା ଦେଖାଦେଇଥିବା ବେଳେ ପାକିସ୍ତାନ ଏହାରି ସୁଯୋଗରେ ବହୁ ସୀମାନ୍ତ ଅଞ୍ଚଳକୁ ଦଖଲକୁ ନେଇଥିଲା। ଏବେ ତାଲିବାନ ଏପରି ଗାଁଗୁଡ଼ିକୁ ଛଠାଇ ନେବାକୁ ଯୋଜନା ଚଳାଇଛି। ଆଫଗାନିସ୍ତାନର ଆତ୍ମଘାତୀ ବାହିନୀ ସମ୍ମୁଖରେ ପାକିସ୍ତାନ ସେନା ଏକ ପ୍ରକାର ନତ ମସ୍ତକ ହୋଇପଡ଼ିଛି। ଏକାଧିକ ସମୟରେ ହେଉଥିବା ସଂଘର୍ଷରେ ପାକିସ୍ତାନର ବରିଷ୍ଠ ସେନାଧିକାରୀଙ୍କ ମୃତ୍ୟୁ ଘଟୁଥିଲେ ହେଁ ସେ ଦେଶର ସେନା ଏହାକୁ ଗ୍ରହଣ କରୁ ନାହିଁ। ଆଫଗାନିସ୍ତାନରେ ତାଲିବାନ କ୍ଷମତାସୀନ ହେଲେ କାଶ୍ମୀରରେ ହସ୍ତକ୍ଷେପ କରିବା ସହଜ ହେବ ବୋଲି ପାକିସ୍ତାନ ଭାବୁଥିଲା। ତେବେ ଏହା ପାକିସ୍ତାନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ା
ଏପଟେ ଭାରତ ସୀମା ସଂଲଗ୍ନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ରାଜଧାନୀ ମୁଜାଫରବାଦ୍ରେ ପାକିସ୍ତାନ ବିରୋଧୀ ସ୍ବର ଶାଣିତ ହେବାରେ ଲାଗିଛି। କାଶ୍ମୀରରୁ ଧାରା-୩୭୦ ହଟିବା ପରେ ଭାରତୀୟ ସମ୍ବିଧାନ ଅନୁଯାୟୀ ସେମାନଙ୍କର ଜନପ୍ରତିନିଧି ବାଛିବାର ଅଧିକାର ରହିଛି ବୋଲି ସୀମା ଆରପଟେ ରହୁଥିବା ପିଓକେବାସୀ ମତ ଦେଇଛନ୍ତି ା ପାକିସ୍ତାନ ସେନାର ଦମନମୂଳକ ନୀତିରେ ବ୍ୟତିବ୍ୟସ୍ତ ହୋଇଥିବା ପିଓକେବାସୀ ଭାରତ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେବା ସହ ସେଠାକାର ସରକାରଙ୍କୁ ସମାଲୋଚନା କରିଥିଲେ ା ବିଭିନ୍ନ ସଂଗଠନର ଆହ୍ବାନରେ ହଜାରହଜାର ପିଓକେବାସୀ ଭାରତୀୟ ସୀମା ଅଭିମୁଖେ ଅଗ୍ରସର ହୋଇଥିଲେ। ଏ ସଂକ୍ରାନ୍ତରେ ଜଣାପଡ଼ିବା ପରେ ସ୍ଥାନୀୟ ପୁଲିସ୍ ତତ୍ରିନୋଟ ଗ୍ରାମ ନିକଟରେ ସେମାନଙ୍କୁ ଅଟକାଇଥିଲା; ଫଳରେ ପୁଲିସ୍ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ଓ ମୋବାଇଲ ସେବାକୁ ବନ୍ଦ କରି ଦିଆଯାଇଥିବା ଜିଲା ପୁଲିସ୍ ମୁଖ୍ୟ ତାହିର ମେହେମ୍ମୁଦ କ୍ୟୁରେସୀ କହିଛନ୍ତି। କଶ୍ମୀର ଏକ ଓ ଏହା ଭାରତର ବୋଲି ପିଓକେବାସୀ ମତ ପୋଷଣ କରିଛନ୍ତି। ପାକିସ୍ତାନ ଅନଧିକୃତଭାବେ ଦଖଲ କରିଥିବା ଏହି ଅଞ୍ଚଳକୁ ତୁରନ୍ତ ଭାରତକୁ ହସ୍ତାନ୍ତର କରିବା ଆବଶ୍ୟକ ବୋଲି ବିକ୍ଷୋଭକାରୀମାନେ ମତ ଦେଇଛନ୍ତି ା ପାକିସ୍ତାନ ସରକାର ଏଠାରେ ଦମନମୂଳକ ନୀତି ଆପଣାଇବାରେ ଲାଗିଛନ୍ତି। ମୂଳ କାଶ୍ମୀରବାସୀଙ୍କୁ ଅପହରଣ କରି ଏଠାରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ପାକ୍ ସରକାର ରହିବାକୁ ସୁଯୋଗ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ା ପାକିସ୍ତାନ ସେନା ଏହି ଅଞ୍ଚଳରେ ମାନବିକ ଅଧିକାରର ଉଲ୍ଲଙ୍ଘନ କରିଚାଲିଛି ଅନ୍ତର୍ଜାତୀୟ ସମୁଦାୟ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
Post Views: 6