Spread the love

ଜୟନ୍ତ ପଟ୍ଟନାୟକ

ଜଣେ ବୃଦ୍ଧା ବୁଲୁଥାଆନ୍ତି । ଆଲୁଳାୟିତ କେଶ,ବସନ ଭୂଷଣ କିଛିରେ ଠିକ୍ ନଥାଏ  । ପ୍ରାୟ ବାୟାଣୀଭଳି,ଯାହାକୁ ଦେଖିଲେ ପଚାରନ୍ତି,ମୋ କାହ୍ନାକୁ ଦେଖିଛ,ଯାହାକୁ ଗଛ, ଵୃଛ, ପାହାଡ଼, ପର୍ବତ, ବଣ ଜଙ୍ଗଲ ସମସ୍ତଙ୍କୁ ପଚାରୁଥାଆନ୍ତି, ମୋ କାହ୍ନାକୁ ଦେଖିଛ ?  ପଚାରି ସବୁଆଡେ ବୁଲୁଥାଆନ୍ତି | ଖାଇବା ପିଇବାର ଠିକଣାନାହିଁ, ବିଶ୍ରାମ ନାହିଁ, ବଡ଼ ଘରର ଭଳି ଲାଗୁଥାନ୍ତି । ଗୋବର୍ଦ୍ଧନ ଗିରିକୁ ପଚାରନ୍ତି, ଯମୁନା ନଈକୁ ପଚାରନ୍ତି, ସବୁ ଗଛଲତାକୁ ପଚାରନ୍ତି, ମୋ କାହ୍ନାକୁ ଦେଖିଛ ? ମତେ କହିକରି ଯାଇଛି, ମୁଁ ଏଇନା ଆସିବି, ଆସିଲେ ଖାଇବା କହି ଦୁଇଭାଇ‌ଯାକ ଗଲେ । ଏଇମିତି ବୁଲିବୁଲି ନନ୍ଦରାଣୀ ଗୋପ, ବୃନ୍ଦାବନ, ଵରସାନାର ଗଳିକନ୍ଦି, ରାସ୍ତାଘାଟ, ବିଲ ଗୋହିରୀ ସବୁଠାରେ ତାଙ୍କ ପ୍ରାଣପ୍ରିୟ କାହ୍ନାକୁ ଖୋଜୁଥାନ୍ତି । ଏତେ ବେଳ ହେଲାଣି କୁଆଡେ ଯାଇଛି, ମୁଁ ଅନେଇଛି । ସବୁ ଗୋପୀ ମାନଙ୍କୁ ପଚାରନ୍ତି,ମୋ କାହ୍ନାକୁ ଲୁଚାଇ ରଖିଛ ଯଦି ଦେଇଦିଅ,ସିଏ ଆଉ କେବେ କାହାର ହାଣ୍ଡି ମାଠିଆ ଭାଙ୍ଗିବନି, କାହା ଘରୁ ଚୋରି କରିବନି । ମୁଁ କଥା ଦଉଛି, ମୋ କାହ୍ନାକୁ ଫେରାଇ ଦିଅ, ମତେ ଦୟାକର,ମୋ କାହ୍ନାକୁ ଫେରାଇଦିଅ । ମୁଁ କେବେ ଆଉ ତାକୁ ଆକଟ କରିବିନି, ମାରିବିନି, ସିଏ ପରା ମୋ କାହ୍ନା । ମୋ ଅନ୍ଧର ଲଉଡି, ମୋ ଆଖିରତାରା, ମୋ ଦୁଃଖି ସଙ୍ଖାଳି,ମୋ ନୟନମଣୀ । ତୁମକୁ ନେହୁରା ହେଉଛି କହିକହି କୋଉଠି ବେହୋସ୍ ହୋଇ ଯାଆନ୍ତି । ଗୋପୀମାନେ ମଧ୍ୟଦୁଃଖରେ ଭାଙ୍ଗିପଡ଼ନ୍ତି । ଲୁଚେଇ ଲୁଚେଇ କାନ୍ଦନ୍ତି । ନନ୍ଦରାଣୀଙ୍କୁ ଆଉ କ’ଣ ନିଜ ଦୁଃଖ ଦେଖାନ୍ତେ । ତାଙ୍କ ଦୁଃଖ ତ ଅସରନ୍ତି ! କିଏ ତାଙ୍କୁ ଉଠାଏ,କିଏ ତାଙ୍କୁ ଘରକୁ ନିଏ ତା’ର କିଛି ଠିକଣା ନଥାଏ । ଜାଣ ଉଦ୍ଧବ ମା’ଙ୍କୁ କିଏ ଘରକୁ ନିଏ, ମୁଁ ନିଜେ ମା’ଙ୍କୁ ଉଠାଇ ଘରକୁ ନିଏ, ଶୁଆଇ ଦେଇ ଆସେ, ବାବାଙ୍କ ଅଜାଣତରେ, ମାତ୍ର ତାଙ୍କୁ ଦେଖା ଦିଏନି, ମତେ କ’ଣ କଷ୍ଟ ହୁଏନି ଉଦ୍ଧବ । କ’ଣ କରିବି, ମୁଁ  କର୍ମରେ ବନ୍ଧା, ମୋ ବାବା, ମା’ଙ୍କୁ ଦେଖିଲେ ମୋ ଦେହ କ’ଣ ହୋଇଯାଏ, ମନ କ’ଣ ହୋଇଯାଏ, ଛାତି ଫାଟିଯାଏ । ଭାବେ ସବୁ ବନ୍ଧନ ଭାଙ୍ଗିଦେଇ,ଛାଡିଛୁଡି ଚାଲିଯିବି,ନାଁ ମୁଁ ପାରେନି ?କର୍ମରେ,ବିଧାତାର ବନ୍ଧନରେ,କର୍ତ୍ତବ୍ୟର ପଥରେ ମୁଁ ମଧ୍ୟ ବନ୍ଧା ।
ଦ୍ଵାରକାରେ ଅନେକ ଦିନ ରହିବା ପରେ !ଥରେ ଦ୍ଵାରୀକାଧୀଶ ପ୍ରଭୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବୃନ୍ଦାବନ ପଠାଇଲେ ମାତା ଯଶୋଦା ଓ ନନ୍ଦବାବା କିପରି ଅଛନ୍ତି ଦେଖିଆସିବାକୁ ।
ଉଦ୍ଧବ ଯେତେବେଳେ ଯାଇ ନନ୍ଦ ରାଜାଙ୍କ ସିଂହଦୁଆରେ ଡାକ ପକାଇଲେ,ଜଣେ ଜୀର୍ଣ୍ଣ- ଶୀର୍ଣ୍ଣ ବୃଦ୍ଧ ଵାହାରିଆସିଲେ,ବେଶ ପୋଷାକର ଠିକଣା ନାହିଁ, କୋଟରଗତ ଚକ୍ଷୁ,ଚେହେରା ଅବଶ୍ୟ ମର୍ଯ୍ୟାଦାବନ୍ତ ଲାଗୁଥିଲା ।ଉଦ୍ଧବ ଚିନ୍ତା କଲେ ଏଇ କ’ଣ ଗୋପର ନନ୍ଦରାଜା ! ଉଦ୍ଧବ କହିଲେ,ମୁଁ ଉଦ୍ଧବ,ଶ୍ରୀକୃଷ୍ଣଙ୍କ ମିତ୍ର,ଆପଣଙ୍କୁ ଦେଖା କରିବାକୁ ମାତ୍ର ପଠାଇଛନ୍ତି । ନନ୍ଦବାବା କୃଷ୍ଣ ପଠାଇଛନ୍ତି ଶୁଣି ଆନନ୍ଦରେ ଆଲିଙ୍ଗନ କରିପକାଇଲେ,କାନ୍ଦିପକାଇଲେ । କହିଲେ ତମେ ଯଦି ଶ୍ରୀକୃଷ୍ଣଙ୍କ ସଖା ଏତେବାଟରୁ ଆସିଛ,କ୍ଳାନ୍ତ ହୋଇପଡିଥିବ,ମୁଁ କିଛି ଖାଦ୍ୟ ଆଣୁଛି,ପ୍ରଥମେ ଖାଇନିଅ,ପରେ ଆରାମରେ କଥାହେବା ।

ଉଦ୍ଧବ ମଧ୍ୟ ନନ୍ଦବାବାଙ୍କ ପଛେ ପଛେ ଯାଇ ଦେଖିଲେ,ସେ ରୋଷେଇଘର ଯେମିତି ଅନେକ ବର୍ଷ ହେଲା ବ୍ୟବହାର ହୋଇନି,ଚୁଲି ଚାଳରେ ଉଈ ଚରିଯାଇଛି,ସବୁଆଡେ ବୁଢିଆଣୀ ଜାଲ। ଖାଇବାର ଠିକଣା ଯେତେବେଳେ ନାହିଁ, ରୋଷେଇ ପ୍ରଶ୍ନ ଉଠୁଛି କୁଆଡୁ, ଅନ୍ୟଘରୁ ଆସିଥିବା ଖାଦ୍ୟ ଆଣି ଦେଇଥିଲେ ନନ୍ଦରାଜା । ଖାଇସାରିବାପରେ ନନ୍ଦବାବା ଓ ଉଦ୍ଧବ ବସି କଥା ହେଲେ,ଉଦ୍ଧବ କହିଲେ ଆପଣମାନେ ବହୁତ ଭାଗ୍ୟବାନ, ତିନିଲୋକର ଇଶ୍ଵର,ପ୍ରଭୁ ଶ୍ରୀକୃଷ୍ଣ ଆପଣଙ୍କ ଘରେ ଜନ୍ମ ହୋଇଥିଲେ,ଆପଣଙ୍କର ଓ ମା’ ଯଶୋଦାଙ୍କ କୋଳରେ ବଡହୋଇଥିଲେ ଏଇ ଗୋପ ବୃନ୍ଦାବନ ମାଟିରେ ଗୋପୀ,ଗୋପାଳ ମାନଙ୍କ ସହିତ ଖେଳିବୁଲି ବଡ଼ ହୋଇଥିଲେ, ଧନ୍ୟ ଏଇ ମାଟି,ଧନ୍ୟ ଆପଣମାନେ କହି ଉଦ୍ଧବ ସେଇ ମାଟିକୁ ମୁଣ୍ଡରେ ମାରିଲେ ଓ ନନ୍ଦବାବାଙ୍କ ପାଦତଳେ ପଡିଗଲେ । ଉଦ୍ଧବଙ୍କୁ ଆଲିଙ୍ଗନପୂର୍ଵକ ନନ୍ଦରାଜା କହିଲେ, ଉଦ୍ଧବ, ତୁମେ କୃଷ୍ଣର ମିତ୍ର ବୋଲି କହୁଛ,ହୁଏତ ତୁମେ ବହୁତ ଜ୍ଞାନୀ ହୋଇଥିବ,ନଚେତ୍ ଜଣେ ସାଧାରଣ ମନୁଷ୍ୟ ହୋଇଥିବ ।କାରଣ ତମେ ଯୋଉ କହୁଛ,ଆମେ ଭାଗ୍ୟବାନ, କେମିତି ଯାହା ପୁତ୍ର ତାଙ୍କୁ ଛାଡି ସବୁଦିନ ପାଇଁ ଚାଲିଯାଇଛି,ସେ ଭାଗ୍ୟବାନ ହେବ କିପରି ?ତମେ ଯାହାକୁ ଭଗବାନ କହୁଛ,ସିଏ ମୋତେ ଆଉ ଯଶୋଦାଙ୍କୁ ବାବା ମା’ କହି ସବୁବେଳେ ଡାକୁଥିଲା,ଆମ କୋଳରେ ଖେଳୁଥିଲା, ଝୁଲୁଥିଲା,ମୁଁ ଘୋଡ଼ା ହୋଇ କେତେ ଥର ବସାଇଛି,ଯଶୋଦାଙ୍କ ଲୁଗା କାନି ମୋଟେ ଛାଡ଼ୁନଥିଲା,ଅନ୍ଧାରକୁ ଯିବାକୁ ଡରୁଥିଲା, ତମେ ତାକୁ କହୁଛ ପ୍ରଭୁ ! ଜାଣିଛ ଉଦ୍ଧଵ,କାହ୍ନା ଥିଲାବେଳେ ଏ ଘର,ଗୋପ,ବୃନ୍ଦାବନ ସବୁ ଯେମିତି ପୁରୀ ଉଠୁଥିଲା,ସବୁଆଡେ ଗୋଟେ ପ୍ରାଣଚଞ୍ଚଳ ଭାବ ଥିଲା,ତୁମ ଭଗବାନ, ଆମ କାହ୍ନା ଚାଲିଗଲା ପରେ ସବୁ ଯେମିତି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ।ସବୁ ଶୂନଶାନ, ସବୁ ନିଛାଟିଆ,ସବୁ ଯେମିତି କାହ୍ନା ସଙ୍ଗେ ଚାଲିଯାଇଛି !ଉଦ୍ଧବ ମତେ ବେଳେବେଳେ ଲାଗେ କାହ୍ନା ଯେମିତି ମୋ ପାଖରେ ଅଛି,ମାତ୍ର ସତରେ ନଥାଏ । କବି ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଚଉତିଶାରେ ଅଛି,”କୋଇଲି ଗଲା ପୁତ୍ର ବାହୁଡ଼ି ନଇଲା,ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ କୋଇଲି।”,”କୋଇଲି,ନ ଶୋଭ ଇ ଗୋପପୁର ମୋର, ନାରାୟଣ ଗଲା ଦିନୁ ମଥୁରାନଗର ଲୋ,କୋଇଲି।”,”କୋଇଲି ବୃନ୍ଦାବନ ନ ଶୋଭ ଇ ମୋର,ବତ୍ସା କିଏ ଚରାଇବ ଯମୁନାର ତୀର ଲୋ,କୋଇଲି।”
ନନ୍ଦରାଜା ପୁଣି କହିଲେ,ଯେତେବେଳେ ଗୋପୀମାନେ ତାକୁ ଚିଡଉଥିଲେ, ଯଶୋଦା ଗୋରୀ,ନନ୍ଦବାବା ଗୋରା,ବଳରାମ ଗୋରା,ତମେ ତ ଗୋରା ନୁହଁ,ଶ୍ୟାମଳ, ତମେ ତାଙ୍କ ପୁଅ ହେଲ କିପରି,କାହ୍ନା ଚିଡିଯାଏ,ରାଗିଯାଇ ଘରକୁ ଚାଲିଆସେ, ଵେଳେ ଵେଳେ ଗୋପୀମାନଙ୍କର ହାଣ୍ଡିମାଠିଆ ସବୁ ଭାଙ୍ଗିଦେଇଥାଏ,ଆସି ଯଶୋଦାଙ୍କ ପାଖରେ ଅଳିକରେ,ତୁ ତାଙ୍କୁ ଗାଳିଦିଏ,ମା’, ବୁଝା ମୁଁ ତୋରି ପୁଅ, ତୋର ଅଲିଅଳ କାହ୍ନା,ତାକୁ ତମେ କହୁଛ ଠାକୁର,ଭଗବାନ ! କିଛି ସମୟ ପାଇଁ ମୁଁ ମାନି ନେଉଛି ସେ ଭଗବାନ, ଈଶ୍ଵର,ସେଇ ଈଶ୍ଵର ଆମକୁ ଛାଡି ଚାଲିଗଲେ,ଏବେ କହୁଛ କ’ଣ ନାଁ ସେଇ ଭଗବାନଙ୍କ ହେତୁରୁ ଆମେ ଆଜିପର୍ଯ୍ୟନ୍ତ ବଞ୍ଚିଛୁ ସେ ବଞ୍ଚିବାରେ ଲାଭ କ’ଣ ଉଦ୍ଧବ,ଯୋଉଥିପାଇଁ ଆମ ପ୍ରାଣପ୍ରିୟ କାହ୍ନା ଆମଠୁ ଦୂରେଇ ଗଲା,ସେ ବଞ୍ଚିବା କ’ଣ ବଞ୍ଚିବା ?ମୋର ତ ଆଉ ଜୀବନ ଅଛି,କାହ୍ନା ବିନା ବୋଲି ମୁଁ ଭାବୁନି,ମୋର ଆଉ ବଞ୍ଚିବାକୁ ଇଛା ନାହିଁ କାହ୍ନାବିନା, ଯଶୋଦାଙ୍କ ମଧ୍ୟ ଏକା ଅବସ୍ଥା !
ଏଇ ସମୟରେ ଯଶୋଦା ରାଣୀ ସେଠାକୁ ଚାଲିଆସିଲେ ଓ ଉଦ୍ଧବଙ୍କୁ କାହ୍ନା ଭାବି ଗେଲ କରିବାକୁ ଯାଉଥିଲେ,ନନ୍ଦରାଜା କହିଲେ,ଯଶୋଦା ସିଏ ଆମ କାହ୍ନା ନୁହଁନ୍ତି, ସିଏ କୃଷ୍ଣର ଜଣେ ମିତ୍ର,ଉଦ୍ଧବ,ଆମର ଭଲମନ୍ଦ ବୁଝିବାକୁ କୃଷ୍ଣ ପଠାଇଛି ।ଯଶୋଦା କହିଲେ,ଉଦ୍ଧବଙ୍କ ମା’ ଡାକ ଶୁଣି ମୁଁ ଭାବିଲି ଆମ କାହ୍ନା ଆସିଛି,ଏମିତି ମା’ ଡାକ ଶୁଣି ବାକୁ ମୁଁ ବହୁଦିନରୁ ଅନାଇଛି,କାନ ଡେରିଛି ।ଏତେବେଳେ ଉଦ୍ଧବ କହି ଉଠିଲେ,ମା’ କୃଷ୍ଣ ଭଗବାନ ମା’,ସିଏ କାହାର ପୁତ୍ର ହୋଇ ନପାରନ୍ତି !ଯଶୋଦା କହିଲେ, ତୁମର ଭ୍ରମ ହୋଇଛି ଉଦ୍ଧବ,କାହ୍ନା ମୋର ହିଁ ପୁତ୍ର,ଆଛା ଉଦ୍ଧବ କହିଲ ଭଗବାନଙ୍କୁ କିଏ ବାନ୍ଧି ପାରିବ,ଉଦ୍ଧବ କହିଲେ ନାଁ ମା’ ଭଗବାନଙ୍କୁ କିଏ ବାନ୍ଧି ପାରିବ,ଏମିତି ସଂସାରରେ ଅଛି କିଏ ?ଯଶୋଦା କହିଲେ, ଉଦ୍ଧବ,ଏଇ ଖମ୍ବ ଦେଖୁଛ,ଏଇଥିରେ ମୁଁ କାହ୍ନାକୁ ବାନ୍ଧିଥିଲି, ଵହୁତ ପିଟିଛି ମଧ୍ୟ,ଆଉ ତମେ କହୁଛ ସିଏ ଭଗବାନ,ପ୍ରଭୁ,ଠାକୁର,ଇଶ୍ଵର,ସିଏ କେହି ନୁହ,ସିଏ ମୋର କାହ୍ନା,ଲଲା, ଛୋଟୁ,କ୍ରୀଷ୍ଣା କହି ଭୋ ଭୋ କାନ୍ଦିଲେ ଯଶୋମତୀ ମାଆ ।ଯଶୋଦାରାଣୀ ପୁଣି କହିଲେ, ଉଦ୍ଧବ ଭଗବାନ କ’ଣ ଅନ୍ଧାରକୁ ଭୟ କରନ୍ତି,ମୋ କାହ୍ନା ଅନ୍ଧାର,ଛାଇ ଦେଖିଲେ ଡରୁଥିଲା,ମୋ କାନିଧରି କାନ୍ଦୁଥିଲା ।ଭଗବାନଙ୍କୁ କ’ଣ କିଏ କ୍ଷୀର ଖୁଆଇଦିଏ,ମୁଁ ଖୁଆଇଛି ଉଦ୍ଧବ,ମୋ ବକ୍ଷରୁ ମୁଁ କାହ୍ନାକୁ କ୍ଷୀର ଖୁଆଇଛି,ଆଉ ତମେ କହୁଛ,ସିଏ ଭଗବାନ !ସେଇ ଭଗବାନଙ୍କୁ କହିବ,ଥରେ ତା’ର ଠୁକୁରୁ ଠୁକୁରୁ ଚାଲି,ମନମୋହନିଆ ଘନଶ୍ୟାମରୁପ ଦେଖାଇଦେଇ,ଆମକୁ ବାବା,ମା’ ଡାକିଦେଇ ଯାଉ,ଆଉ ଆମର କିଛି ଦରକାର ନାହିଁ ଉଦ୍ଧବ,ତା’ର ମା’ ଡାକ ହିଁ ଯଥେଷ୍ଟ !”କୋଇଲି ଛାଟେକ ମୁଁ ମାରିଲି ପୂରୁଵେ,ଛାଡି ଅବା ଗଲେ କୃଷ୍ଣ ସେହି ପରାଭଵେ ଲୋ, କୋଇଲି। “କୋଇଲି ଦଉଡିରେ ବାନ୍ଧିଲି ପୁତ୍ରକୁ,ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ, କୋଇଲି।” ଉଦ୍ଧବ ପୁଣି କହିଲେ ଆପଣ ସମସ୍ତଙ୍କୁ କୃଷ୍ଣ କେତେ ଭଲ ପାଆନ୍ତି,ଏବେ ବି ଆପଣମାନଙ୍କର ସଙ୍ଗସୁଖରୁ ବଞ୍ଚିତ ବୋଲି କେତେ ମନଦୁଃଖ କରନ୍ତି ।ଜାଣନ୍ତି ମା’, କୃଷ୍ଣ ବୃନ୍ଦାବନ ଛାଡ଼ିବାଠୁ କ୍ଷୀର,କ୍ଷୀର ଜାତୀୟ କୌଣସି ପଦାର୍ଥ, କ୍ଷୀରରୁ ତିଆରି କୌଣସି ଖାଦ୍ୟ ଖାଇ ନାହାଁନ୍ତି ।ସେ ଏବେ ମଧ୍ୟ ଆପଣମାନଙ୍କୁ ଏତେ ଭଲ ପାଆନ୍ତି ଯେ ଭାଷାରେ ବର୍ଣ୍ଣନା କରିବା କଷ୍ଟ ।ଏକଥା ଶୁଣୁ ଶୁଣୁ ଯଶୋମତୀ ମାଆ ବେହୋସ ହୋଇଗଲେ ।ନନ୍ଦରାଜା ବେହୋସ୍ ନନ୍ଦରାଣୀଙ୍କୁ ନେଇ ଘରେ ଶୁଆଇଦେଲେ ଓ ଉଦ୍ଧବଙ୍କୁ କହିଲେ, ଏଇ ବେହୋସ ଥିବା ସମୟତକ ଯଶୋଦା ବିଶ୍ରାମ ନିଅନ୍ତି, ନଚେତ୍ ଅନ୍ୟ ସମୟରେ ବୃନ୍ଦାବନ,ବରସାନା ଓ ଗୋପର ସବୁ ସ୍ଥାନରେ ବୁଲି କାହ୍ନାକୁ ଖୋଜୁ ଥାଆନ୍ତି ।ଏହି ସମୟରେ ଉଦ୍ଧବ ଶୁଣିଲେ ଅବଚେତନ ମନରେ ମଧ୍ୟ ଯଶୋଦା କହୁଛନ୍ତି, ଉଦ୍ଧବ,କାହ୍ନାକୁ କହିବ,ମା’ ତା’ର ଅନାଇଛି,ଥରେ ଆସି ଆମକୁ ମା’,ବାବା ଡାକି ମୋ କାନ ପବିତ୍ର କରିଦେଇ ଯାଉ ।ଏସବୁ କଥାର କୌଣସି ଉତ୍ତର ଦେଲାଭଳି ଶଦ୍ଦ ନଥିଲା ଉଦ୍ଧବଙ୍କ ନିକଟରେ,ଜ୍ଞାନଦୀପ୍ତ ଉଦ୍ଧବଙ୍କ ତୁଣ୍ଡରୁ ବାକ୍ୟ ସ୍ଫୁରୁ ନଥିଲା,ସ୍ନେହ ରଙ୍କୁଣି ମା’ର ବାତ୍ସଲ୍ୟ ମମତା ଆଗରେ ଜ୍ଞାନ ଫିକା ପଡ଼ିଗଲା,ଉଦ୍ଧବ ମଧ୍ୟ କାନ୍ଦି ଉଠିଲେ ।କବି ମାର୍କଣ୍ଡ ଦାସଙ୍କ କେଶବ କୋଇଲି ଚଉତିଶାରେ ଅଛି,”କୋଇଲିଲୋ ଘର ମୋର ନ ମଣନ୍ତି ନନ୍ଦ, ଘଟଣ ନ ଦିଶେ ପୁର ନଥିଲେ ଗୋବିନ୍ଦ ଲୋ କୋଇଲି ।”,”କୋଇଲି,ଶ୍ରୀମନ୍ତ ପୁରୁଷ ମୋ ମାଧୋଇ,ଶିରିରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ,କୋଇଲି ।”,”କୋଇଲି,ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ, ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ ଲୋ,କୋଇଲି ।”
ଦ୍ଵାରକା ଫେରିଯାଇ ଉଦ୍ଧବ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ କିଛି କରୁ ନାହାନ୍ତି କାହିଁକି ?ନନ୍ଦବାବା,ମା’ ଯଶୋଦା,ସବୁ ଗୋପୀ,ଗୋପାଳମାନେ,ବୃନ୍ଦାବନର ଗୋରୁପଲ,
ଯମୁନା ନଈ, ଗୋବର୍ଦ୍ଧନ ଗିରି,ବୃନ୍ଦାବନର ଗଳିକନ୍ଦି,ତରୁଲତା ସମସ୍ତେ ଆପଣଙ୍କୁ ଏତେ ଭଲ ପାଉଛନ୍ତି,ଏତେ ଝୁରି ହେଉଛନ୍ତି ଯେ ସେକଥା ଭାଷାରେ ବର୍ଣ୍ଣନା କରି ହେବନାହିଁ ।

ଶ୍ରୀକୃଷ୍ଣ କହିଲେ,ଉଦ୍ଧବ ମୁଁ କ’ଣ ସେମାନଙ୍କୁ ଝୁରୁନି,ମୁଁ କ’ଣ ସେମାନଙ୍କୁ ମନେ ପକାଉନି। ମୋର କ’ଣ ଛାତି ଭିତରେ ହୃଦୟ ନାହିଁ,ମୋର କ’ଣ ପୂର୍ବ କଥା ସବୁ ମନେ ପଡେନା ! ମା’,ବାବାଙ୍କ କଥା ମନେ ପଡିଲେ ମୁଁ ସବୁ ଭୁଲିଯାଏ,ପିଲାବେଳେ ମା’ କରିଦେଇଥିବା ବେଶ,କପାଳରେ ଚିତା,ସେ ପାଉଁଜି,ସେ କୁଣ୍ଡଳ,ସେ ମୟୂରଚନ୍ଦ୍ରିକାର ଠେକା,ସେବଇଁଶୀ, ସେ ପୀତାମ୍ବରୀ ପାଟ,ମା’ ବଣରେ ଖାଇବାକୁ ଦେଇଥିବା ସେ ଦୁଧଭାତ ପୁଡିଆ,ଦୋଳିରେ ମତେ ଝୁଲାଇଵାର,କୋଳରେ ବସେଇ ଚାନ୍ଦ ଦେଖାଇ ମତେ ଖୁଆଇବାର କିଛି ମୁଁ ଭୁଲିନାହିଁ ଉଦ୍ଧବ ।ସେସବୁ କ’ଣ ଭୁଲିଵାର କଥା,ଚେଷ୍ଟା କଲେ ମଧ୍ୟ କ’ଣ ଭୁଲି ପାରିବି ?
ବାବା ମତେ କେତେ ଆଦର କହୁଥିଲେ,ମୋ ହାତ ଧରି ଚାଲିବା ଶିଖାଇଥିଲେ,କୋଳରେ କାଖଉଥିଲେ,ନାଉ କରୁଥିଲେ,ନିଜେ ଘୋଡ଼ା ହୋଇ ମତେ ବସାଇ ବୁଲୁଥିଲେ,କୋଉକଥା ପଚାରିଲେ କେତେ ଆଗ୍ରହରେ ମତେ ବୁଝାଇ ଦେଉଥିଲେ,ଏସବୁ କେବେ କ’ଣ ଭୁଲି ହୁଏ ବାବା ଯେତେବେଳେ ଆନମନା,କ୍ଳାନ୍ତ ହୋଇ କୋଉଠି ବସିଯାଆନ୍ତି,ମୁଁ ତାଙ୍କ ପାଖାପାଖି ଥାଏ,କାଳେ ମୋ ବାବା କୋଉଠି ପଡ଼ିଯିବେ,ମୋ ବାବାଙ୍କର କ’ଣ ହୋଇଯିବ,ମତେ କଣ
ଇଛା ହୁଏ ଜାଣ ଉଦ୍ଧବ,ମୋ ବାବାଙ୍କ ଗୋଡ଼ ହାତରେ ଟିକେ ହାତ ମାରିଦିଅନ୍ତି,ପୁଣି ଇଛା ହୁଏ,ମତେ ବାବା ଯେମିତି ଜାକି/କୋଳେଇ/କୁଣ୍ଢେଇ ଶୁଆଇଦେଉଥିଲେ,ସେମିତି ମୋ ପତଳା/ଦୁର୍ବଳ ହୋଇଯାଇଥିବା ବାବାଙ୍କୁ କୁଣ୍ଢେଇ ଶୋଇପଡନ୍ତି,ମୋ ମନ ଖୁସି ହୋଇ ଯାଆନ୍ତା,ମୋ ଆତ୍ମା ତୃପ୍ତ ହୋଇଥାଆନ୍ତା,କିନ୍ତୁ ପାରେନା !ମୁଁ ତାଙ୍କୁ ଦେଖା ଦିଏନି,ସବୁ ସେଇ ଜରାସନ୍ଧ ଭୟରେ,ମୋ ପାଇଁ ମୋ ପ୍ରିୟଜନମାନେ କଷ୍ଟ କାହିଁକି ପାଇବେ ?ମା’ ସବୁଆଡେ ବାୟାଣୀ ହୋଇ ମତେ(କାହ୍ନାକୁ)ଖୋଜି ଖୋଜି ବେହୋସ୍ ହୋଇଗଲେ କିଏ ତାଙ୍କୁ ଟେକିକରି ଘରକୁ ନିଏ,କିଏ ଆଦରରେ ଶୁଆଇଦେଇ ତାଙ୍କ ଗୋଡ଼ ହାତରେ ହାତ ମାରିଦିଏ ?ମୁଁ,ମାତ୍ର ବାବା ମା’ଙ୍କୁ ଦେଖା ଦିଏନି ।ଜାଣିଛ କାହିଁକି ଉଦ୍ଧବ,ଜରାସନ୍ଧ ସଵୁ ଵେଳେ ଆକ୍ରମଣ କରିବାକୁ ଚାହୁଁଛି,ଯଦି ଜାଣେ ବୃନ୍ଦାବନରେ ମୋର ପ୍ରିୟ ବାବା,ମା’ ଓ ଗୋପୀ ଗୋପାଳମାନେ ରହୁଛନ୍ତି ତାଙ୍କୁ କ’ଣ ସିଏ ଛାଡ଼ିବ ?ମୁଁ ତ ଯାହା ଭୋଗୁଛି, ସେମାନଙ୍କୁ କାହିଁକି କଷ୍ଟ ଦେବି ?କହୁଥାନ୍ତି,ତ୍ରିଲୋକର ଇଶ୍ଵର,ପ୍ରଭୁ ଶ୍ରୀକୃଷ୍ଣ କାନ୍ଦୁଥାନ୍ତି କଇଁ କଇଁ ହୋଇ ।ଧନ୍ୟ ପ୍ରଭୁ,ଧନ୍ୟ ତବ ଲୀଳା,ଧନ୍ୟ ତୁମ ପିତା ମାତା ।
ଏଥିରୁ ଜାଣିଲେ ମାତା ଯଶୋଦାଙ୍କର ବାତ୍ସଲ୍ୟ ମମତା କେତେ ଗଭୀର,କେତେ ହୃଦୟଗସ୍ପର୍ଶୀ,ମାତାଙ୍କର ପୁତ୍ରଲାଗି ଓ ପୁତ୍ରଙ୍କର ମାତାଙ୍କଲାଗି କେତେ ବ୍ୟାକୁଳତା,କେତେ
ଆବେଗ,କେତେ ଉତ୍କଣ୍ଠା,କେତେ ସ୍ନେହ,ପ୍ରୀତି,ଶ୍ରଦ୍ଧା !ଭଗବାନଙ୍କ ପାଇଁ ଭକ୍ତର ମନରେ ଏମିତି ଭକ୍ତି,ସମର୍ପଣ,ଶ୍ରଦ୍ଧା,ଆବେଗ,ଉତ୍କଣ୍ଠା,ଉତ୍ସାହ,ଆଗ୍ରହ ନରହିଲେ ସେ ସହଜେ
ଧରା ଦିଅନ୍ତନି,”ଭାବରେ ବନ୍ଧା ସେହି ଭାବର ଠାକୁର ।”
ଏମିତି ଥିଲା ପ୍ରଭୁ ଶ୍ରୀକୃଷ୍ଣ ଓ ନନ୍ଦ,ଯଶୋଦା,ଗୋପୀ,ଗୋପାଳମାନଙ୍କ ମଧ୍ୟରେ ଥିବା ଅଭେଦ୍ୟ ପ୍ରୀତି,ପରସ୍ପର ପ୍ରତି ଦୁର୍ବଳତା,ବ୍ୟାକୁଳତା,ଆବେଗ,ଉତ୍କଣ୍ଠା,ଭଲପାଇବା,
ସ୍ନେହ,ମମତା ଯାହା ଜଗତରେ ଦୁଷ୍ପ୍ରାପ୍ୟ,ଦୁର୍ଲ୍ଲଭ ।ଆମେ ସମସ୍ତେ ଜାଣିଛେ,ତ୍ରେତୟା ଯୁଗରେ ରାମ ଅବତାରରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବହୁତ ଦୁଃଖ ପାଇଛନ୍ତି,କଷ୍ଟ ପାଇଛନ୍ତି, ପିତା ସତ୍ୟ ପାଳି ୧୪ ବର୍ଷ ବନବାସ ଗଲେ ।ଫେରିଆସି ଅଳ୍ପ କିଛି ବର୍ଷ ଶାସନ କରି- ଛନ୍ତି,ପ୍ରଜାଙ୍କ ମିଛ ଅଭିଯୋଗରେ ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ପ୍ରାଣପ୍ରିୟା ପତ୍ନୀଙ୍କୁ ଜଵରଦସ୍ତ ବଣକୁ ପଠାଇ ଦେଲେ ଓ କିଛି ବର୍ଷର ବିରହ ପରେ ମାତା ସୀତା ଫେରିଲେ ସିନା,ଅହେତୁକ ଅପମାନରେ ପାତାଳଗାମୀ ହେଲେ ।ମାତ୍ର ଦ୍ଵାପରଯୁଗରେ ଶ୍ରୀକୃଷ୍ଣ ଅବତାରରେ ମଧ୍ୟ କମ୍ ଦୁଃଖ ନାହିଁ !ସ୍ବୟଂ ପ୍ରଭୁ,ମହାବୀର/ମହାଦାନୀ କର୍ଣ୍ଣଙ୍କୁ କହିଛନ୍ତି, ମୁଁ ଜନ୍ମ ହେଲାପରେ ବାପା ମା’ଙ୍କଠାରୁ ଅଲଗା ହୋଇଗଲି,ବର୍ଷକର ମଧ୍ୟ ହୋଇନଥିଲି ସେବେଠୁ ମତେ ମାରିବାକୁ ଚେଷ୍ଟା କରାଗଲା ଏବଂ ଏହାର କର୍ତ୍ତା ହେଲେ ମୋର ନିଜ ମାମୁଁ ।ଜୀବନରେ କ’ଣ କରିନାହିଁ ଏମିତି ନୁହେଁ,ଗାଈ ଚରାଇଛି,କଣ୍ଟା ଝଣ୍ଟାରେ ଗାଈ ପଛରେ ଗୋଡାଇଛି,ଗୋବର କାଢିଛି,ଗୁହାଳ ସଫା କରିଛି,ସାତବର୍ଷ ବେଳେ ଗୋବର୍ଦ୍ଧନ ଗିରି ଟେକିଛି,ବିଷାକ୍ତ କାଳୀୟକୁ ଦମନକରି କାଳିନ୍ଦୀ ହ୍ରଦ ଓ ସନ୍ନିକଟ ବୃନ୍ଦାବନକୁ ରକ୍ଷା କରିଛି,ବାର ବର୍ଷ ହୋଇନଥିଲା,ମାମୁଁର ମଲ୍ଲମାନଙ୍କ ସହିତ ଲଢେ଼ଇ କରିଛି,କୁବଳୟା ହାତୀକୁ ସାଵାଡ କରିଛି,ଶେଷକୁ ମାମୁଁ ମୋର ଏ କାରନାମା ଦେଖି ମଞ୍ଚରୁ ଗଡ଼ିପଡ଼ି ପ୍ରାଣ ହରାଇଲେ।ମଥୁରାରେ ରହି ମଧ୍ୟ ନିକଟସ୍ଥ ବୃନ୍ଦାବନ,ଗୋପ,ବରସାନାକୁ ଆଉ ଯାଇନାହିଁ, ମା’,ବାବା,ଗୋପୀ,ଗୋପାଳ, ଯମୁନା ନଈ,ଗୋବର୍ଦ୍ଧନ ଗିରି,ଗାଈ ଚରାଉଥିବା ସେ ବନଲତା କିଛି ବି ଆଉ ଦେଖିନାହିଁ ।ମା’,ବାବାଙ୍କ କଥା ସବୁବେଳେ ମନେ ପଡେ ।ଏମିତି ଦିନ ନାହିଁ ଯୋଉ ଦିନ ମନେ ପଡିନି।ସବୁଜାଣି ଅନ୍ତରେ କାନ୍ଦେ ମୁଁ ବାହାରେ ହସେର ଅଭିନୟ କରି ଚଳୁଥିଲି,ମଥୁରା ଆସିବାପରେ ବିଭିନ୍ନ କାମର ଚାପ ଓ ଜରାସନ୍ଧ ଭୟ ଜନିତ ଅସୁବିଧାରୁ ମୁଁ ଆଉ ବୃନ୍ଦାବନ ଗଲିନାହିଁ ।ନିଜ ଜନ୍ମକଲା ବାପାମା’ଙ୍କର ଯତ୍ନନେଲି କେତେଦିନ।ହେଲେ ସଦାସର୍ବଦା ବୃନ୍ଦାବନ ବାବା,ମା’,ଗୋପୀ, ଗୋପାଳମାନଙ୍କୁଝୁରୁଥାଏ !ତା’ପରେ ଦ୍ଵାରକା ଫେରି ଶିଶୁପାଳ ଓ ଜରାସନ୍ଧକୁ ଵଧ କଲି ଘଟଣାକ୍ରମେ।ସଖାଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ସାହାଯ୍ୟ କରି ଧର୍ମ ସଂସ୍ଥାପନ କଲି”ଦୁଷ୍ଟ ନିବାରୀ ସନ୍ଥ ପାଳି,ଏରୂପେ ଧର୍ମ ସଂସ୍ଥାପିଲି ।”ମହାଭାରତର ୧୮ ଦିନର ମହାଯୁଦ୍ଧ ପରେ ମାତା ଗାନ୍ଧାରୀ ମତେଦାୟୀ କଲେ ତାଙ୍କ ଶତ ପୁତ୍ରର ମୃତ୍ୟୁର କାରଣଭାଵେ ଏବଂ ତୋର ସମଗ୍ର ଯାଦବକୂଳ ଧ୍ୱଂସ ହେବ ଓ ଦ୍ଵାରକା ନାଶଯିବାର ଅଭିଶାପ ଦେଇଥିଲେ ।ତାହା ମଥାପାତି ସହିନେଇଥିଲି, ମୋର ଆତ୍ମ ବିସର୍ଜନ ପୂର୍ବରୁ ସମସ୍ତ ଯାଦବକୂଳକୁ ନାଶ କଲି ଓ ସ୍ବୟଂ ଆତ୍ମବିସର୍ଜନ ଅର୍ଥେ ବାହାରିଗଲି।ନିଜ କୂଳକୁଟୁମ୍ବ,ପୁତ୍ର,ନାତି,କନ୍ୟା ମରାଇବା କମ୍ କଷ୍ଟକର,କମ୍ ପୀଡାଦାୟକ କଥା ନୁହେଁ !ଶେଷରେ ରାମଜନ୍ମରେ ଦେଇ ଥିବା କଥା ରକ୍ଷାକରି ଶିଆଳି ଲତାରେ ବିଶ୍ରାମଵେଳେ ଜାରାଶବର ହାତରେ ଆତ୍ମଵିସର୍ଜନ କଲି । ଦୁଃଖାଭିଭୁତ ପାଣ୍ଡବ- ମାନେ ମୋର ଶରୀରରେ ଅଗ୍ନି ସଂଯୋଗ କଲେ,ତଥାପି ସେ ଶରୀର ପୋଡିଲାନି,
ଅର୍ଦ୍ଧଦଗ୍ଧ ଶରୀର ଦାରୁରୂପରେ,ନୀଳାଚଳ ଧାମ,ଶ୍ରୀକ୍ଷେତ୍ର ପୁରୀର ବାଙ୍କୀମୁହାଣରେ ଯାଇ ଲାଗିଲା,ଯାହାକୁ ଆଣି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ମହାରାଣୀ ଗୁଣ୍ଡିଚା ଶ୍ରୀ ବିଗ୍ରହମାନଙ୍କୁ ତିଆରି କରାଇଲେ ବହୁ ଘାତ ପ୍ରତିଘାତରେ । ପ୍ରକୃତରେ ମୁଁ ନିଜେ ବିଶ୍ଵକର୍ମା ହୋଇ ଆଜିର ଏଇ ବିଶ୍ଵବିଖ୍ୟାତ ଅଧାଗଢ଼ା ଚତୁର୍ଦ୍ଧାମୂର୍ତ୍ତି,ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର,ମା ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କୁ ଗଢିଲି।ଏଠାରେ କହିଦିଏ ଏ ପରିକଳ୍ପନା ଆସିଲା କୁଆଡୁ ।
ଥରେ ଅପରାହ୍ନ ସମୟରେ ଦ୍ଵାରକାରେ ମୁଁ ଏକୁଟିଆ ବସିଥାଏ,ହଠାତ୍ ମନକୁ ଆସିଲା,ଗୋକୁଳର କଥା,ବାବା,ମା’,ଗୋପୀ,ଗୋପାଳମାନେ,ଗାଈଗୋରୁ,ଯମୁନାକୂଳ, ଗୋବର୍ଦ୍ଧନ ଗିରି,ଗୋପ ବୃନ୍ଦାବନର ଗଳିକନ୍ଦି,ଗଛଲତା ସବୁକଥା ମନେପଡିଲା, ମୁଁ ଏମିତି ଗୋଟେ କିଁକର୍ତ୍ତବ୍ୟଵିମୂଢ ଅବସ୍ଥାରେ ରହିଗଲି,ଆଖି ଦୁଇଟି ବିସ୍ଫାରିତ ହୋଇଗଲା,ହାତ, ଗୋଡ,ମୁଣ୍ଡ କିଛି କାମ କଲାନି ।ଋକ୍ମୁଣୀ ମତେ ଏ ଅବସ୍ଥାର ଦେଖି ସ୍ତମ୍ଭୀଭୂତ ହୋଇ ରହି- ଗଲେ,ମତେ ହଲାଇ ଦେବାପରେ ମୋର ଚେତା ଆସିଲା ।ସେଇ ଅବସ୍ଥାରୁ ଏଇ ଖଣ୍ଡିଆ ହାତ-ଗୋଡ,ଅଭିନବ,ଅଧାଗଢ଼ା ଅବତାର,ଚତୁର୍ଦ୍ଧାମୂର୍ତ୍ତିଙ୍କ ପରିକଳ୍ପନା ।ଯାହାହେଉ ସେବେଠୁ ମୁଁ ଏଇ ନୀଳାଚଳଧାମରେ ନୀଳାଚଳିଆଭାଵେ ରହୁଛି,ମୋର ସେଇ ବାବା, ମା’,ନନ୍ଦ-ଯଶୋଦା,ଦେବକୀ-ବସୁଦେବ,କୌଶଲ୍ୟା-ଦଶରଥ,ଗୁଣ୍ଡିଚା-ଇନ୍ଦ୍ରଦ୍ଵ୍ୟମ୍ନଙ୍କୁ ବର୍ଷରେ ଥରେ ଶ୍ରାଦ୍ଧ ଦେଉଛି,ପୁତ୍ର ଧର୍ମ ନିଭାଉଛି ।ମା’,ବାବାଙ୍କର ମୁଁ ସେଇ କାହ୍ନା,ଲଲା, ଛୋଟୁ,ଗୋଵିନ୍ଦ,କ୍ରୀଷ୍ଣା,କହ୍ନୈୟା  !

ମୋ :  ୯୦୯୦୧ ୯୦୦୬୯

Leave a Reply

Your email address will not be published. Required fields are marked *