Spread the love

ଉଧମପୁର: ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଜଣେ ୪ ବର୍ଷୀୟ ବାଳିକାକୁ ଗୋଟାଏ କଲରାପତ୍ରିଆ ନେଇଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ପଞ୍ଚେରୀ ତହସିଲ୍‌ ଅନ୍ତର୍ଗତ ଉପର ଭଞ୍ଜାଲା ଗ୍ରାମଠାରୁ ପ୍ରାୟ ୨ କିଲୋମିଟର୍‌ ଦୂରରେ ସ୍ଥାନୀୟ ଲୋକେ ସେ ବାଳିକାର କ୍ଷତାକ୍ତ ଶବ ଉଦ୍ଧାର କରିଥିବା କଥା ବନ ବିଭାଗର ରେଞ୍ଜ୍‌ ଅଫିସର୍‌ ରାକେଶ ଶର୍ମା ଗଣମାଧ୍ୟମକୁ କହିଛନ୍ତି। ଘଟଣାଟି ଶନିବାର ରାତି ୭ଟାରୁ ୮ ମଧ୍ୟରେ ଘଟିଛି। ମୃତା ବାଳିକା ହେଉଛନ୍ତି ତାନୁ।

ଶର୍ମା କହିଛନ୍ତି, ପିଲା ନିଖୋଜ ହେବା ଖବର ପାଇବାକ୍ଷଣି ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ବନ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଆମେ ସେଠାରେ ପହଞ୍ଚିବା ବେଳକୁ ତଲାସ କାର୍ଯ୍ୟ ଆରମ୍ଭ ହୋଇସାରିଥିଲା। ଦୁଃଖର କଥା ଆମେ ତାକୁ ମୃତାବସ୍ଥାରେ ଉଦ୍ଧାର କଲୁ।

ଉକ୍ତ କଲରାପତ୍ରିଆକୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ବାଳିକାର ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ଆବଶ୍ୟକ ଫାଇଲ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯଥା ଶୀଘ୍ର ସମ୍ଭବ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ।

ଏଭଳି ଅଘଟଣା ଆଉ ଯେମିତି ନ ଘଟେ, ସେଥିପାଇଁ ଜନସାଧରଣଙ୍କୁ ସାବଧାନ କରାଇ ଦେଉଛୁ। ସେମାନଙ୍କୁ ଅନୁରୋଧ, ଭୋର୍‌ ଓ ସନ୍ଧ୍ୟା ସମୟରେ ପିଲା, ମହିଳା ଓ ବୟୋବୃ‌ଦ୍ଧମାନଙ୍କୁ ଏକାକୀ ବାହାରକୁ ଛାଡ଼ନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *