Spread the love

ପ୍ରଖ୍ୟାତ ବ୍ୟାଙ୍କର ଉଦୟ କୋଟାକ ଆଜି କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି। ବୋର୍ଡ ଅଫ ଡିରେକ୍ଟର୍ସର ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କୁ ଚିଠି ଲେଖି ଉଦୟ ତତ୍କାଳ ଭାବେ ପଦରୁ ଇସ୍ତଫା ଦେଉଥିବା ଜଣାଇ ଦେଇଛନ୍ତି। ସେ କହିଛନ୍ତି, “ବେଶ କିଛି ଦିନ ହେବ ଏପରି ନିଷ୍ପତ୍ତି ନେବାକୁ ମୁଁ ବିଚାର କରୁଥିଲି। ଏବେ ଏହା ଉପରେ ମୋହର ମାରିବାର ଉପଯୁକ୍ତ ସମୟ ଆସି ଯାଇଛି।

କୋଟାକ ମହିନ୍ଦ୍ରା ବ୍ୟାଙ୍କର ସଫଳତା ମୋ ମୁଣ୍ଡରେ ଚାଲିଛି। ବର୍ଷ ସରିବା ଭିତରେ ଆମ ଅଧ୍ୟକ୍ଷ, ମୁଁ ନିଜେ ଓ ଯୁଗ୍ମ ଏମଡି ପ୍ରମୁଖ ପଦ ଛାଡ଼ିବାର ଆବଶ୍ୟକତା ରହିଛି। ଏହି ପ୍ରକ୍ରିୟାକୁ ବେଶ ଭଲ ଭାବେ ପର୍ଯ୍ୟାୟକ୍ରମେ କରାଯିବ। ଏହି ପ୍ରକ୍ରିୟାକୁ ମୁଁ ବର୍ତ୍ତମାନ ଆରମ୍ଭ କରିଛି। ସିଇଓ ପଦରୁ ସ୍ୱେଚ୍ଛାକୃତ ଭାବେ ଓହରି ଯାଉଛି।” ବର୍ତ୍ତମାନ ଯୁଗ୍ମ ଏମଡି ଦୀପକ ଗୁପ୍ତା ସଂସ୍ଥାର ଏମଡି ଓ ସିଇଓ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ଉଦୟ କୋଟାକ ଆହୁରି କହିଛନ୍ତି, “ଜଣେ ପ୍ରତିଷ୍ଠାତା ଭାବେ ମୁଁ କୋଟାକ ବ୍ରାଣ୍ଡ ପ୍ରତି ବେଶ ଆକର୍ଷିତ ରହିଥିଲି। ମୁଁ ଆଗକୁ ସଂସ୍ଥା ସହ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଅଂଶିଦାର ଭାବେ ଜଡ଼ିତ ହୋଇ ରହିବି। ସଂସ୍ଥାକୁ ଆଗକୁ ନେବା ପାଇଁ ଆମ ପାଖରେ ଭଲ ମ୍ୟାନେଜମେଣ୍ଟ ରହିଛି। ପ୍ରତିଷ୍ଠାତାମାନେ ଚାଲି ଯିବେ। କିନ୍ତୁ ସଂସ୍ଥା ଆଗକୁ ଆହୁରି ଦକ୍ଷତାର ସହ ଆଗକୁ ବଢ଼ିବ।”

ଉଦୟ କୋଟାକ ୩୮ ବର୍ଷ ଧରି ସଂସ୍ଥାର ନେତୃତ୍ୱ ନେଉଥିଲେ। କିନ୍ତୁ ହଠାତ୍‌ ପଦ ଛାଡ଼ିବା ପଛର କାରଣ ଆଦୌ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *