Spread the love

ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ନାବାଳିକାର ସୁରକ୍ଷା ଏବଂ କ୍ଷତିପୂରଣ ପ୍ରଦାନ ସହ ପରିଚୟ ଯେମିତି ବାହାରକୁ ନ ଆସେ ସେ ଦିଗରେ ଧ୍ୟାନ ଦେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସଞ୍ଜୀବ ନରୁଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ସହାୟକ ନିର୍ଦ୍ଦେଶକ ପ୍ରେମୋଦୟ ଖାଖା ଓ ତାଙ୍କ ପତ୍ନୀଙ୍କୁ ଗତ ସପ୍ତାହରେ ଗିରଫ କରାଯିବା ସହ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଯାଇଛି।

ପୋଲିସ ମୁତାବକ, ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା। ନାବାଳିକା ଝିଅ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ୨୦୨୦ରେ ତାଙ୍କ ମା’, ବାପାଙ୍କ ମୃତ୍ୟୁ ପରେ ଅଧିକାରୀ ଜଣକ ନିଜ ଘନିଷ୍ଠ ବନ୍ଧୁଙ୍କ ଝିଅକୁ ଘରକୁ ନେଇଆସିଥିଲେ। ନଭେମ୍ବର ୨୦୨୦ରୁ ଜାନୁଆରୀ ୨୦୨୧ ମଧ୍ୟରେ ଏହି ଅଧିକାରୀ ଜଣକ ନାବାଳିକାକୁ ବାରମ୍ବାର ଧର୍ଷଣ କରିବା ସହ ଗର୍ଭବତୀ କରିଥିବାର ଅଭିଯୋଗ ହୋଇଛି। ଏତିକି ନୁହେଁ, ଯେତେବେଳେ ନାବାଳିକା ଗର୍ଭବତୀ ହୋଇଥିଲେ, ଏ ସମ୍ପର୍କରେ ଅଭିଯୁକ୍ତ ନିଜ ପତ୍ନୀଙ୍କୁ ଜଣାଇଥିଲେ। ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ନାବାଳିକାକୁ ବାଧ୍ୟ କରି ଗର୍ଭନିରୋଧକ ବଟିକା ଖୁଆଇବାର ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *