Spread the love

ପ୍ରୟାଗରାଜ: ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କର ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ କିଛି ଦିନ ତଳେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଥିଲା। ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇ ମାମଲା ପାରିବାରିକ ଅଦାଲତରେ ପହଞ୍ଚି ଯାଇଥିଲା। ଜ୍ୟୋତି ଏବଂ ଆଲୋକ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଥିଲେ ଯେ ସେ ଜ୍ୟୋତିଙ୍କୁ ପିସିଏସ ହେବାରେ ସମର୍ଥନ କରିଥିଲେ ଏବଂ ତାଙ୍କ ପ୍ରସ୍ତୁତି ଓ ଅଧ୍ୟୟନକୁ ମଧ୍ୟ ସମର୍ଥନ କରିଥିଲେ। କିନ୍ତୁ ଏସଡିଏମ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଥିଲେ।

ଏହା ସହ ସେ ଆରୋପ ଲଗାଇଥିଲେ ଯେ, ପିସିଏସ ହେବା ପରେ ଜ୍ୟୋତି ଦୁର୍ନୀତିରେ ଲିପ୍ତ ଥିଲେ। ଲୋକଙ୍କୁ ଠକି ସେ କୋଟି କୋଟି ଟଙ୍କାର ସମ୍ପତ୍ତି ନିଜ ନାମରେ କରିଥିଲେ। ଜ୍ୟୋତିଙ୍କର ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ସହିତ ଏକ ଅନୈତିକ ସମ୍ପର୍କ ଥିଲା।

କେବଳ ଆଲୋକ ନୁହନ୍ତି, ଜ୍ୟୋତି ମଧ୍ୟ ତାଙ୍କ ସ୍ବାମୀଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ। ହେଲେ ‌ଏବେ ଦୁହିଁଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଥିବା ଚର୍ଚ୍ଚା ହେଉଛି। କାରଣ ଆଲୋକ, ଜ୍ୟୋତିଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗକୁ ଫେରାଇ ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ତଦନ୍ତ କମିଟି ସମ୍ମୁଖରେ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ପ୍ରମାଣ ଉପସ୍ଥାପନ କରିବାକୁ ଆସିଥିଲେ ଆଲୋକ। କିନ୍ତୁ ସେ ତଦନ୍ତ କମିଟିକୁ ଲିଖିତ ଆବେଦନ କରି ଅଭିଯୋଗ ପତ୍ର ପ୍ରତ୍ୟାହାର କରିନେଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଲୋକଙ୍କ ଏହି ନିଷ୍ପତ୍ତି ପରେ ଚର୍ଚ୍ଚା ହେଉଛି ଯେ, ଦୁହେଁ ପୁଣି ଥରେ ଏକାଠି ହୋଇ ସୁଖର ସଂସାର ଗଢ଼ିବେ।

Leave a Reply

Your email address will not be published. Required fields are marked *