Spread the love

ଦେଶରେ ଆଗୁଆ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାନ କଥା କହିଛନ୍ତି। ଯେକୌଣସି ସମୟରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ ବୋଲି ସେ ମତ ରଖିଛନ୍ତି।

ସେ କହିଛନ୍ତି, “ନିର୍ବାଚନ ଯେକୌଣସି ସମୟରେ ହୋଇପାରେ। ସେମାନେ ଧାର୍ଯ୍ୟ ସମୟରେ ନିର୍ବାଚନ କରାଇବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।” ନୀତୀଶ କୁମାର ଦ୍ୱିତୀୟ ଥର ପାଇଁ ଦେଶରେ ଆଗୁଆ ନିର୍ବାଚନ ହେବ ବୋଲି ମତ ରଖିଛନ୍ତି।

ଜୁନ ମାସରେ ବିରୋଧର ମେଣ୍ଟର ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ “କିଏ ଜାଣେ କେତେବେଳେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ? ଆସନ୍ତା ବର୍ଷ ଯେ ନିର୍ବାଚନ ହେବ, ତା’ହା ଭାବିବା ମୁସ୍କିଲ। ଏହାର କିଛି ଠିକଣା ଅଛି?”

ବିରୋଧୀ ମେଣ୍ଟରେ ଥିବା ନୀତୀଶ କୁମାର ଏକମାତ୍ର ନେତା ଭାବେ ଏପରି ମତ ରଖି ନାହାନ୍ତି। ସୋମବାର ମମତା ବାନାର୍ଜୀ ମଧ୍ୟ ସମାନ ମତ ରଖିଥିଲେ। ସେ କହିଥିଲେ, “ମୁଁ ଆଶଙ୍କା କରୁଛି ଯେ ବିଜେପି ସମ୍ଭବତଃ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ଆୟୋଜନ କରିବ। ନଚେତ ଜାନୁଆରୀ ମାସରେ ନିର୍ବାଚନ ହୋଇପାରେ।

ନିର୍ବାଚନ ପାଇଁ ବିଜେପି ସବୁ ହେଲିକପ୍ଟର ବୁକ କରି ଦେଇଛି। ହେଲିକପ୍ଟର ଯେମିତି ଅନ୍ୟ ଦଳର ନେତା ପାଇବେ ନାହିଁ, ସେଥିପାଇଁ ବିଜେପି ଆଗୁଆ ସବୁ କିଛି ବୁକ କରିଛି। ସେମାନେ ଭାବୁଛନ୍ତି ଟଙ୍କା ବଳରେ ସେମାନେ ସବୁ କିଛି କିଣି ପାରିବେ।”

Leave a Reply

Your email address will not be published. Required fields are marked *