Spread the love

ଚନ୍ଦ୍ର ପରେ ଏବେ ମିଶନ ଆଦିତ୍ୟ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଲଞ୍ଚ୍‌ କରିବାକୁ ଯାଉଛି ନିଜର ପ୍ରଥମ ମହାକାଶ ଆଧାରିତ ସୌର ପର୍ଯ୍ୟବେକ୍ଷଣ ଯନ୍ତ୍ର ‘ଆଦିତ୍ୟ-ଏଲ୍‌୧’। ମହାକାଶ ଯାନ ଶ୍ରୀହରିକୋଟାର ସତୀଶ୍‌ ଧଓ୍ଵନ ମହାକାଶ କେନ୍ଦ୍ରରୁ ଦିନ ୧୧ଟା ୫୦ରେ ଉଡ଼ାଣ ଭରିବ। ଇସ୍ରୋ ଏହି ମିଶନ ଲଞ୍ଚ୍‌କୁ ଦେଖିବା ପାଇଁ ଜନତାଙ୍କୁ ମଧ୍ୟ ଆମନ୍ତ୍ରିତ କରିଛି।

ଆଦିତ୍ୟ-ଏଲ୍‌୧ ଇସ୍ରୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ ହେବାକୁ ଯାଉଛି। କାରଣ, ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ପାଇଁ ଏହା ଭାରତର ପ୍ରଥମ ସମର୍ପିତ ମିଶନ। ଏହି ମହାକାଶ ଯାନକୁ ପୃଥିବୀଠାରୁ ପାଖାପାଖି ୧.୫ ମିଲିୟନ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରେଞ୍ଜ୍‌ ବିନ୍ଦୁ ୧ (ଏଲ୍‌୧)ର ଚାରିପଟେ ଏକ ପ୍ରଭାମଣ୍ଡଳ କକ୍ଷରେ ରଖାଯିବ।

ସୂଚନାଥାଉ କି, ନିକଟରେ ସଫଳ ହୋଇଛି ଭାରତର ମୁନ୍ ମିଶନ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମ ଅବତରଣ କରିବା ପରେ ଇତିହାସ ସୃଷ୍ଟି କରିଛି ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩।

ଭାରତର ଏହି ମୁନ୍ ମିଶନ ସଫ୍ଟ ଲ୍ୟାଣ୍ଡିଂ ଦୃଷ୍ଟିରୁ ବହୁତ ଖାସ୍‌ ଥିଲା। କାରଣ, ଚନ୍ଦ୍ରପୃଷ୍ଠରେ ଆଜି ପର୍ଯ୍ୟନ୍ତ କେବଳ ଚୀନ, ଆମେରିକା ଓ ରୁଷ୍ ହିଁ ସଫ୍ଟ ଲ୍ୟାଣ୍ଡିଂ କରିପାରିଛନ୍ତି। ହେଲେ କେହି ବି ଦକ୍ଷିଣ ମେରୁରେ ପହଞ୍ଚି ନାହାନ୍ତି। ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ଏହି ଉପଲବ୍ଧି ହାସଲ କରିବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହୋଇଛି। ସେହିପରି ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର।

ସେପଟେ ଗଗନାୟାନ ମିଶନର କାମ ମଧ୍ୟ ଜାରି ରହିଛି। ୨୦୨୫ ସୁଦ୍ଧା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡିଛି। ଆସନ୍ତାବର୍ଷ ଶେଷ ସୁଦ୍ଧା ଏହାର ପରୀକ୍ଷଣ ହୋଇପାରେ। ୩ ମହାକାଶଚାରୀଙ୍କୁ ନେଇ ୩ ଦିନିଆ ମିଶନ ହେଉଛି ଗଗନାୟାନ।

Leave a Reply

Your email address will not be published. Required fields are marked *