Spread the love

ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏକ ଶହ ମିଲିମିଟରର ଏକ କ୍ରେଟର ଅତିକ୍ରମ କରିଛି। ଚନ୍ଦ୍ରପୃଷ୍ଠରେ ଏହା ପ୍ରଜ୍ଞାନ ପାଇଁ ପ୍ରଥମ ବାଧକ ଥିଲା । ପ୍ରଜ୍ଞାନର ଏହି ସଫଳତା ଇସ୍ରୋ ନିୟନ୍ତ୍ରଣ କକ୍ଷର ବୈଜ୍ଞାନିକମାନଙ୍କୁ ଆଶ୍ୱସ୍ତ କରିଛି। ବୈଜ୍ଞାନିକମାନେ ଏପରି ବାଧା ବା ଆହ୍ୱାନ ଅତିକ୍ରମ କରିବାରେ ପ୍ରଜ୍ଞାନକୁ ମାର୍ଗଦର୍ଶନ କରିବା ସହ ନୀରିକ୍ଷଣ ଜାରି ରଖିବେ। ଲ୍ୟାଣ୍ଡର ବିକ୍ରମର ସଠିକ ଲ୍ୟାଣ୍ଡିଂ ଓ ରୋଭର ମୁତୟନ ପରେ ଚନ୍ଦ୍ରଯାନ-୩ ପ୍ରକଳ୍ପର ନିର୍ଦ୍ଦେଶକ ପି. ବୀରମୁଥୁଭେଲ କହିଛନ୍ତି ଏପର୍ଯ୍ୟନ୍ତ ହୋଇଥିବା ପ୍ରୟୋଗଗୁଡିକରୁ ଭଲ ପରିଣାମ ମିଳିବାର ସମ୍ଭାବନା ରହିଛି। ନ୍ୟାଭିଗେସନ, ମାର୍ଗଦର୍ଶନ, ନିୟନ୍ତ୍ରଣ, ପ୍ରପଲସନ୍, ସେନ୍ସର ଓ ସମସ୍ତ ମେନ ଫ୍ରେମ ବ୍ୟବସ୍ଥା ଇସ୍ରୋର ଶହ ଶହ ଗବେଷକଙ୍କ ଉଦ୍ୟମ ବିନା ସମ୍ଭବ ହୋଇନଥାନ୍ତା।

ରୋଭରର ସଂଚାଳନ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ନୁହେଁ। ପ୍ରଜ୍ଞାନର ରାସ୍ତାରେ ବହୁ ଚ୍ୟାଲେଞ୍ଜ ରହିଛି। ଯାହାର ମୁକାବିଲା ପାଇଁ ଗ୍ରାଉଣ୍ଡ ଟିମର ଆବଶ୍ୟକତା ରହିଛି ବୋଲି ବୀରମୁଥୁଭେଲ କହିଛନ୍ତି। ପ୍ରତ୍ୟେକ ରୋଭର ମୁଭମେଣ୍ଟ ଅପରେସନ ମଧ୍ୟରେ ୫ ଘଣ୍ଟା ସମୟ ରହିଥିବା ସୂଚନା ଦେଇ ସେ କହିଛନ୍ତି ରୋଭରକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବାକୁ ଅନେକ ପର୍ଯ୍ୟାୟ ରହିଛି। ପ୍ରତ୍ୟେକ ପଥ ଯୋଜନା ପାଇଁ ଡିଜିଟାଲ ଏଲିଭେସନ୍ ମଡେଲ ପ୍ରସ୍ତୁତ କରିବା ପାଇଁ ଅନବୋର୍ଡ ନ୍ୟାଭିଗେସନ କ୍ୟାମେରା ଡାଟାକୁ ଗ୍ରାଉଣ୍ଡ ଡାଉନଲୋଡ କରାଯାଇଥାଏ। ଏହାକୁ ଦେଖି ଗ୍ରାଉଣ୍ଡ ଓ ମେକାନିଜିମ ଟିମ ରୋଭର କେଉଁ ରାସ୍ତାରେ ଯିବ ସେ ନେଇ କମାଣ୍ଡ ଦେଇଥାଏ।

Leave a Reply

Your email address will not be published. Required fields are marked *