Spread the love

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଭିଡିଓ ଭାଇରାଲ ଘଟଣାରେ ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ନାହାକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକଙ୍କ ବିରୋଧରେ ଆଇପିସିର ଧାରା ୩୪୨, ୩୨୩ ଓ ୩୪; ଏନଡିପିଏସ ଆକ୍ଟର ଧାରା ୨୫,୨୮ ଓ ୨୯ ଏବଂ ପୋଲିସ ଆକ୍ଟର ଧାରା ୯ରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଡିଏସପି (ହୋମଗାର୍ଡ) ଏକେ ନାୟକ କରିବେ।

ଏହି ଘଟଣାରେ ପୋଲିସ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଦାବି କରି କନ୍ଧମାଳ ମିଳିତ ମଞ୍ଚ ଗତ ୨୮ ତାରିଖରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲା। ହେଲେ ଏବେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ଥାନା ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ନେଇ ଗାଁଲୋକେ ଏକାଠି ହୋଇ ଥାନା ଭିତରେ ଧସ୍ତାଧସ୍ତି କରିଥିଲେ। ଏହି ତୁମୁଳକାଣ୍ଡରେ ପୋଲିସୁ ସ୍ଥାନୀୟ ଲୋକେ ଗୋଡେଇ ଗୋଡେଇ ପିଟିଥିଲେ।

ଏହାପରେ ନାହାକଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଗତ ୬ ତାରିଖରେ ଦୁଇ ହୋମଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଡିଜିପି ସୁନୀଲ କୁମାର ବଂଶଲ ପୂର୍ବତନ ଆଇଆଇସିଙ୍କୁ ନିଲମ୍ବିତ କରିଥିଲେ।

ଥାନାରେ ଭଙ୍ଗାରୁଜା ଓ ପୁଲିସ ଉପରକୁ ଆକ୍ରମଣ ଅଭିଯୋଗରେ ଏଯାବତ୍ ୧୯ ଜଣଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଲୋକେ ପ୍ରଥମେ ଫୁଲବାଣୀ-ବାଲିଗୁଡା ରାସ୍ତା ଅବରୋଧ କରିଥିଲେ। ସେମାନେ ଘଟଣାର ଭିଡିଓ ପୁଲିସକୁ ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା।

Leave a Reply

Your email address will not be published. Required fields are marked *