Spread the love

ଭୁବନେଶ୍ୱର: ଠକେଇ କରିବାକୁ ‘ମୋ ସ୍କୁଲ ଅଭିଯାନ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଥିଲେ। ଚାକିରି ଦେବା ନାଁରେ ବେକାର ଯୁବତୀଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିବା ଏକ ଗ୍ୟାଙ୍ଗକୁ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଧରିଛି। ଏଥିସହ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଭରତପୁରରୁ ଗିରଫ କରାଯାଇଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ଯାଜପୁରର ଅମର ସାମଲ, ଗଞ୍ଜାମର ମଦନ ନାଗ ଓ ରାଇଗୁଲୁ ପାତ୍ର। ସେମାନଙ୍କରଠାରୁ ନଗଦ ୨ଲକ୍ଷ ଟଙ୍କା, ଦୁଇଟି ଲାପ୍‌ଟପ, ୧୩ଟି ମୋବାଇଲ, ବ୍ୟାଙ୍କ ଚେକ୍‌ବୁକ୍‌, ଏଟିଏମ୍‌ କାର୍ଡ, ଫେକ୍‌ ସିଲ୍‌ ଷ୍ଟାମ୍ପ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି। ମୋ ସ୍କୁଲ ଅଭିଯାନରେ କାହାକୁ ଟିଚିଂ ତ ପୁଣି କାହାକୁ ନନ୍‌ ଟିଚିଂ, ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ୍‌ ଆସିଷ୍ଟାଣ୍ଟ ଚାକିରି ସହ ଅନ୍ୟ ବିଭାଗରେ ବିଭିନ୍ନ ଚାକିରି ଦେବାକୁ କହି ୫୦ରୁ ଅଧିକ ଚାକିରି ଆଶାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ଠକିଥିବା ତଦନ୍ତବେଳେ ଜଣାପଡିଛି। ଏପରିକି ଅଭିଯୁକ୍ତମାନେ ବିଶ୍ୱାସ ଜନ୍ମାଇବା ପାଇଁ ମୋ ସ୍କୁଲ୍‌ ଅଭିଯାନର ଅବିକଳ ଓ୍ବେବ୍‌ସାଇଟ୍‌ ତିଆରି କରି ଏହି ଠକେଇ କରୁଥିଲେ ବୋଲି କମିଶନରେଟ ପୋଲିସ୍‌ର ଜୋନ୍‌-୫ ଏସିପି ଗୌତମ କିଶନ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ‘ମୋ ସ୍କୁଲ୍‌.ଇନ୍‌’ ବଦଳରେ ‘ମୋ ସ୍କୁଲ.ଅନ୍‌ଲାଇନ୍‌’ ନାମରେ ୱେବ୍‌ସାଇଟ ତିଆରି କରିଥିଲେ। ସେଥିରେ ଓଡ଼ିଶା ସରକାରଙ୍କ ଅଫିସିଆଲ ଲୋଗୋ ବ୍ୟବହାର କରି ନିଯୁକ୍ତି ବିଜ୍ଞପ୍ତି ଦେଉଥିଲେ। ଅଭିଯୁକ୍ତ ଅମର ନିଜକୁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀର ପରିଚୟ ଦେଇ ଆଶାୟୀଙ୍କୁ ଉକ୍ତ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ ପାଇଁ କହୁଥିଲେ। ପରେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ପରେ

ସେମାନଙ୍କୁ କେବଳ ସରକାରୀ ଷ୍ଟାମ୍ପ ଥିବା ଲେଟର ଦେଇ ଆଉ ଧରାଛୁଆଁ ଦେଉ ନ ଥିଲେ। ଏନେଇ ଗତ ଜୁଲାଇ ୧୨ରେ ‘ମୋ ସ୍କୁଲ’ ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଶାୟୀଙ୍କଠାରୁ ଟଙ୍କା ନେବା ପାଇଁ ଠକମାନେ ବେନାମୀ ଆକାଉଣ୍ଟ୍‌ ବ୍ୟବହାର କରୁଥିଲେ। ଅଭିଯୁକ୍ତ ଅମର ପୁରୀର ଜଣେ ବୟସ୍କ ମହିଳାଙ୍କୁ ଲୋନ କରାଇ ଦେବାର ଲୋଭ ଦେଖାଇ ତାଙ୍କ ଟିପ ଚିହ୍ନ ଏବଂ ଡକ୍ୟୁମେଣ୍ଟ ଆଧାରରେ ବ୍ୟାଙ୍କରେ ନିଜକୁ ମହିଳାଙ୍କ ସ୍ବାମୀ ପରିଚୟ ଦେଇ ଆକାଉଣ୍ଟ ଖୋଲିଥିଲେ। ସେହି ଆକାଉଣ୍ଟରେ ଠକେଇ ଟଙ୍କା କାରବାର କରୁଥିଲେ। ଉକ୍ତ ଆକାଉଣ୍ଟ ଓ ସେଥିରେ ହୋଇଥିବା ଟଙ୍କା କାରବାର ନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *