
ସେହିପରି ଚଳିତ ବର୍ଷ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୫୭୨ ଥିବାବେଳେ ଗତବର୍ଷ ଏହି ସମୟରେ ଏହା ୨୮୭୧ ଥିଲା। ରାଜ୍ୟ ପରିବହନ ବିଭାଗ ଏବଂ ଓଡିଶା ପୋଲିସ ମିଳିତ ଭାବେ ପ୍ରତି ମଂଗଳବାର ଦିନଟିକୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ଶୂନ୍ୟ ସହନଶୀଳ ଦିବସ ଭାବେ ପାଳନ କରୁଛନ୍ତି। ସଡକ ସୁରକ୍ଷା ନିୟମାବଳୀଗୁଡିକୁ ସାରା ରାଜ୍ୟରେ କଡାକଡି ଲାଗୁ କରିବା ଦ୍ୱାରା ରାଜ୍ୟରେ ଦୁର୍ଘଟଣା ମୃତାହତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ପରିବହନ ବିଭାଗର ଯୁଗ୍ମ କମିଶନର ପି.କେ ମହାନ୍ତି କହିଛନ୍ତି।
ଏହାବ୍ୟତୀତ ଟ୍ରାଫିକ ସଚେତନତା ସୃଷ୍ଟି ସାଙ୍ଗକୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଅଭିଯାନ ଜୋରଦାର କରିବା ପାଇଁ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫାଟାଲିଟି ୱିକ ପାଳନ କରାଯାଉଛି। ଫଳରେ ଚଳିତ ବର୍ଷର ଜିରୋ ଫାଟାଲିଟି ସପ୍ତାହରେ ଗତ ବର୍ଷ ଏହି ସମୟ ତୁଳନାରେ ଦୁର୍ଘଟଣା ୩୩.୧୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ପ୍ରତିଶତ ହ୍ରାସ ପାଇଛି। ସଡକ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ଓ ସମସ୍ତେ ଚାହିଁଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ବୁଝାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ବୋଲି ଯୁଗ୍ମ କମିଶନର କହିଛନ୍ତି। ରାଜ୍ୟରେ ସଡକ ଗୁଡିକୁ ସୁରକ୍ଷିତ କରିବା ପାଇଁ ଧରପଗଡ, ସଚେତନତା, ସଡକ ସ୍ଥିତିରେ ଉନ୍ନତି ଓ ଜରୁରୀକାଳୀନ ଯତ୍ନ ଭଳି ଚାରିଟି ଉପାୟ ଆପଣା ଯାଇଛି।
Post Views: 6