Spread the love

ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆଟାକ ଏବଂ କାଉଣ୍ଟର ଆଟାକ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକସଭାରେ ରାହୁଲଙ୍କ ବୟାନରୁ ଅନାସ୍ଥା ପ୍ରସ୍ତାବ ବିତର୍କ ଆରମ୍ଭ ହୋଇଥିଲା।

ରାହୁଲ ପ୍ରଥମେ ଭାରତ ଯୋଡ଼ୋ ଯାତ୍ରା କଥା କହିଥିଲେ। ଏହାପରେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଟାକ କରିଥିଲେ। ମଣିପୁରକୁ କେନ୍ଦ୍ର ସରକାର ଭାଗଭାଗ କରିବା ସହ ଭାରତ ମା’କୁ ହତ୍ୟା କରିଥିବା ସେ କହିଥିଲେ।

ରାହୁଲଙ୍କ ଏପରି ଆକ୍ରମଣର ଜବାବ ସ୍ମୃତି ଇରାନୀ ଦେଇଛନ୍ତି। ରାହୁଲଙ୍କ ମଣିପୁର ଆଟାକ୍‌କୁ କାଉଣ୍ଟର କରିବା ପାଇଁ ବିଜେପି ପକ୍ଷରୁ ସ୍ମୃତି ଇରାନୀ ଛିଡ଼ା ହୋଇଥିଲେ।

ସେ କହିଥିଲେ, “ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଭାଗଭାଗ ହୋଇନାହିଁ। ଏହା କେବେ ଭାଗଭାଗ ହେବନି।”ସରକାରଙ୍କ ନୀତି ଯୋଗୁ ମଣିପୁର ଦୁଇ ଭାଗ ହୋଇଯାଇଥିବା ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ।

ମଣିପୁରରେ ଭାରତ ମାତାର ହତ୍ୟା କରାଯାଇଛି ବୋଲି ରାହୁଲ ଗାନ୍ଧି କହିବା ବେଳେ କଂଗ୍ରେସ ସାଂସଦମାନେ ଏହାକୁ ସମର୍ଥନ କରିଥିଲେ। କିନ୍ତୁ ଏହାକୁ ସ୍ମୃତି ଇରାନୀ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଆଜି ଗୃହରେ ଯେଉଁଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଗଲା, ତା’କୁ ମୁଁ ନିନ୍ଦା କରୁଛି। ଦେଶର ଇତିହାସରେ ପ୍ରଥମଥର ପାଇଁ କେହି ଜଣେ ଭାରତ ମା’ର ହତ୍ୟା କରାଯାଇଥିବା କଥା କହିଛନ୍ତି ଓ କଂଗ୍ରେସ ଏହାକୁ ତାଳିମାରି ସ୍ୱାଗତ ମଧ୍ୟ କରିଛି।”

ବିରୋଧୀ ମେଣ୍ଟ ନିଜର ନାଁ ଇଣ୍ଡିଆ ରଖିଥିବାରୁ ଏହାକୁ ମଧ୍ୟ ସମାଲୋଚନା କାରିବାକୁ ଶ୍ରୀମତୀ ଇରାନୀ ପଛାଇ ନାହାନ୍ତି। ସେ କହିଛନ୍ତି, “ଆପଣମାନେ ଇଣ୍ଡିଆ ନୁନ୍ତି। ଇଣ୍ଡିଆ ଦୁର୍ନୀତିଗ୍ରସ୍ତ ନୁହେଁ।

ଇଣ୍ଡିଆ ଦକ୍ଷତାରେ ବିଶ୍ୱାସ ରଖେ, ବଂଶବାଦରେ ନୁହେଁ। ଆଜିର ଦିନରେ ବ୍ରିଟିଶରମାନଙ୍କୁ କ’ଣ କୁହାଯାଇଥିଲା? ଭାରତ ଛାଡ଼। ଏହାକୁ ଆପଣମାନଙ୍କ ଭଳି ଲୋକ ମନେ ରଖନ୍ତୁ। ଦୁର୍ନୀତି ଭାରତ ଛାଡ଼। ବଂଶବାଦ ଭାରତ ଛାଡ଼।”

Leave a Reply

Your email address will not be published. Required fields are marked *