କୋଟିପତି ଷ୍ଟୋର୍ କିପର୍। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଜଣେ ଅବସରପ୍ରାପ୍ତ ଷ୍ଟୋର୍ କିପର୍ଙ୍କ ଘରୁ ମିଳିଛି କୋଟିଏ କି ୨ କୋଟି ନୁହେଁ, ପୂରା ୧୦ କୋଟି ଟଙ୍କା। ଟଙ୍କା ଏତେ ଥିଲା ଯେ ଶେଷରେ ଏହାକୁ ଗଣିବା ପାଇଁ ମେସିନ୍ ଆଣିବାକୁ ପଡ଼ିଥିଲା। ଯେତେବେଳେ ଷ୍ଟୋର୍ କିପରଙ୍କ ଘରେ ଲୋକାୟୁକ୍ତ ପୋଲିସ ଚଢ଼ାଉ କରିଥିଲେ, ସେତେବେଳେ ସମସ୍ତେ ଅବାକ୍ ହୋଇଯାଇଥିଲେ।
୪୫ ହଜାର ଟଙ୍କା ଦରମା ପାଉଥିବା ଷ୍ଟୋର୍ କିପର୍ଙ୍କ ଘରୁ ଏତେ ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାଞ୍ଚ ପରେ ଆହୁରି ବି ଖୁଲାସା ହେବ ବୋଲି କୁହାଯାଉଛି।
ସୂଚନା ମୁତାବକ, ଭୋପାଳରେ ରହୁଥିବା ଅଶଫାକ୍ ଅଲୀଙ୍କଠାରୁ ୧୦ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ଅଶଫାକ୍ ରାଜଗଡ଼ ଜିଲ୍ଲା ହସ୍ପିଟାଲରେ ଷ୍ଟୋର୍ କିପର୍ ଭାବେ ଚାକିରି କରୁଥିଲେ। ଏଠାରେ ତାଙ୍କୁ ପାଖାପାଖି ୪୫ ହଜାର ଟଙ୍କା ଦରମା ମିଳୁଥିଲା। କିନ୍ତୁ ୩୯ ବର୍ଷର ଚାକିରି କାଳ ମଧ୍ୟରେ ସେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ।
ତାଙ୍କ ପାଖରେ ଭୋପାଳରେ ଘର, ଭିଦିଶାରେ ଘର ଏବଂ ଲଟେରୀରେ ଘର ରହିଛି। ୫୦ରୁ ଅଧିକ ସମ୍ପତ୍ତି ସହିତ ୪୫ ଲକ୍ଷ ଟଙ୍କାର ସୁନାଗହଣା, ୨୧ ଲକ୍ଷ ଟଙ୍କା ନଗଦ ଏବଂ ୧୬ଟି ଚଳନ୍ତି ସମ୍ପତ୍ତି ମିଳିଛି। ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ଷ୍ଟୋର୍ କିପର୍ଙ୍କ ଘରୁ ନୋଟ୍ ଭର୍ତ୍ତି ବ୍ୟାଗ୍ ମିଳିଥିବା ବେଳେ ଭୋପାଳରେ ଥିବା ତାଙ୍କ ବଙ୍ଗଳାରେ ଫାଇଭ୍ ଷ୍ଟାର୍ ଭଳି ସୁବିଧା ଉପଲବ୍ଧ ଥିଲା। ବର୍ତ୍ତମାନ ଚଢ଼ାଉ ପରେ ଅଧିକାରୀମାନେ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିନେଇଛନ୍ତି। ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ।