Spread the love

ଗୁଆହାଟି: ହିଂସା ପ୍ରଭାବିତ ମଣିପୁରର ଏକ ଜିଲ୍ଲାରୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍‌ସ ପ୍ରତ୍ୟାହାର ହେବାର କିଛି ଘଣ୍ଟା ପରେ ଏହି ଫୋର୍ସର ଯବାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ ହୋଇଛି। ଗତ ଶନିବାର ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା କରିବା ପଛରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ଆସାମ ରାଇଫଲ୍‌ସ ଯବାନମାନେ ରାଜ୍ୟ ପୁଲିସକୁ ବାଧା ଦେଇଥିବା ଅଭିଯୋଗ ହୋଇଥିଲା।

ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍‌ସ, ଯାହାର ପ୍ରଶାସନିକ ନିୟନ୍ତ୍ରଣ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଅପରେସନ୍‌ କଣ୍ଟ୍ରୋଲ ସେନା ପାଖରେ ରହିଛି, ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।
ଉଲ୍ଲେଖଯୋଗ୍ୟ, ମଣିପୁର ପୁଲିସ ଏବଂ ଆସାମ ରାଇଫଲ୍‌ସ ଯବାନଙ୍କ ମଧ୍ୟରେ ବିବାଦ ସୋସିଆଲ ମିଡିଆରେ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଅଗଷ୍ଟ ୫ରେ ଘଟଣା ସଂପର୍କରେ ଏଫଆଇଆର ଦାଖଲ କରାଯାଇଥିଲା।

ବିଷ୍ଣୁପୁର ଜିଲ୍ଲାର ଫୌଗାଚାଓ ଇଖାଇ ଥାନା ଅଧିକାରୀଙ୍କ ପକ୍ଷରୁ ଦାୟର ଏତଲାରେ କୁହାଯାଇଛି ଯେ, ଫୋଲଜଙ୍ଗ ରାସ୍ତାର କ୍ୱାକ୍ଟା ୱାର୍ଡ ୮ରେ ଥିବା କୁତୁବ ଓ୍ଵାଲି ମସଜିଦରେ ପହଞ୍ଚିବା ପରେ ରାଜ୍ୟ ପୁଲିସ ଟିମ୍‌କୁ ଅଟକାଇ ଦିଆଯାଇଥିଲା ଏବଂ ୯ ଆସାମ ରାଇଫଲ୍‌ସର ଯବାନମାନେ କ୍ୱାକ୍ଟା ଫୋଲଜଙ୍ଗ ରାସ୍ତା ମଝିରେ କାସ୍ପର ଗାଡି ରଖି ପାର୍କିଂ କରି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ।

ଅନ୍ୟପକ୍ଷରେ ମେଇତେଇ ମହିଳାଙ୍କ ସଚେତନ ଗୋଷ୍ଠୀ ଗତକାଲି ମଣିପୁର ଉପତ୍ୟକାର ପାଞ୍ଚଟି ଜିଲ୍ଲାରେ ଆସାମ ରାଇଫଲ୍‌ସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଏବଂ ଅଭିଯୋଗ କରିଥିଲା ଯେ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମେଇତେଇ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏବଂ ତୁରନ୍ତ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଉ।

Leave a Reply

Your email address will not be published. Required fields are marked *