Spread the love

ସୋମବାର ଠାରୁ ହରିଆଣାରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା ଦୁଇ ଦିନ ପରେ ଥମିଥିବା ରାଜ୍ୟ ପୁଲିସ ଦାବି କରିଛି। କିନ୍ତୁ ଗୁରୁବାର କିଛି ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ଘଟିଛି।

ବୁଧବାର ବିଳମ୍ବିତ ରାତିରେ କିଛି ଲୋକ ନୁହ୍‌ର ୨ଟି ମସଜିଦ ଉପରେ ଆକ୍ରମଣ କରିଛନ୍ତି। ସେମାନେ ମସଜିଦରେ ନିଆଁ ଲଗାଇବା ସହ ଏହାକୁ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ମସଜିଦ ଉପରେ ଆକ୍ରମଣ ହୋଇଥିଲେ ହେଁ ଏହାର ଭତ୍ତିଭୂମି ସୁରକ୍ଷିତ ରହିଛି। ସେହିପରି କେହି ବି ମୃତାହତ ହୋଇ ନଥିବା ପୁଲିସ୍ କହିଛି।

ପୁଲିସ୍‌ କହିଛି ଯେ ପ୍ରଥମେ ଗୋଟିଏ ମସଜିଦ ଉପରେ ୧୦ରୁ ୧୫ ଜଣ ଲୋକ ମିଳିତ ଭାବେ ଆକ୍ରମଣ କରି ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ମସଜିଦର ପାୱାର ଇନପୁଟ ନିକଟରେ ବ୍ୟାଟେରୀ ରହିଥିବା ବେଳେ ସେହି ସ୍ଥାନରେ ଦୁର୍ବୃତ୍ତମାନେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ।

କିନ୍ତୁ ପୁଲିସ୍‌ ଠିକଣା ସମୟରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତୁରନ୍ତ ସେଠାରୁ ବ୍ୟାଟେରୀକୁ କାଢ଼ି ଦିଆଯିବାରୁ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ସେହିପରି ଅନ୍ୟ ଏକ ମସଜିଦରେ ଅତ୍ୟନ୍ତ ଛୋଟ ଘଟଣା ଘଟିଛି। ସେଠାରେ ମଧ୍ୟ ଦୁର୍ବୃତ୍ତମାନେ କରିଥିବା ଆକ୍ରମଣରେ ସଫଳ ହୋଇ ନଥିବା ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ କିଛି ଲୋକ ହିଂସା କରିବା ଉଦ୍ଦେଶ୍ୟରେ ଦୁଇଟି ଯାକ ମସଜିଦ ଉପରକୁ ହାତ ତିଆରି ବୋମା ମାଡ଼ କରିଥିଲେ। ବାଇକରେ ଆସି କିଛି ଲୋକ ବିଜୟ ଚୌକ ଓ ତାଉରୁ ପୁଲିସ୍‌ ଷ୍ଟେସନ ନିକଟରେ ଥିବା ମସଜିଦ ଉପରକୁ ବୋମା ମାଡ଼ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ପୁଲିସ୍‌ ବୋମା ମାଡ଼ ଖବରକୁ ନିଶ୍ଚିତ କରିନି। କିନ୍ତୁ ଆକ୍ରମଣ ଉଦ୍ୟମ କରାଯାଇଥିବା କଥା କହିଛି।

ଅନ୍ୟପକ୍ଷରେ କିଛି ଦୁର୍ବୃତ୍ତ ପାଲୱାଲ ଜିଲ୍ଲାର ମିନାର ଗେଟ ମାର୍କେଟରେ ଥିବା ଚୁଡ଼ି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥିତିକୁ ଦେଖି ପ୍ରଶାସନ ନୁହ୍‌ ଓ ପାଲୱାଲ ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛି। ଏଥିସହ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *