Spread the love

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି। ମେ’ ୩ ତାରିଖରୁ ମଣିପୁର ଜଳୁଥିବା ବେଳେ ଆଜି ଏହାକୁ ୩ ମାସ ପୂରିଛି। ଏହି ସଂଘର୍ଷରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଲକ୍ଷାଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ସୁରକ୍ଷାକର୍ମୀ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଆଜି ବିଷ୍ଣୁପୁରରେ ପୁଣି ହିଂସା ଦେଖିବାକୁ ମିଳିଛି।

ଏଠାରେ ମୈତୈ ସଂପ୍ରଦାୟାର ଲୋକ ମିଳିତ ଭାବେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ କିଛି ଦୋକାନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ।

କିନ୍ତୁ ସ୍ଥିତି ବିଗିଡ଼ିବାରୁ ସୁରକ୍ଷାକର୍ମୀମାନେ ବାଧ୍ୟ ହୋଇ ଗୁଳି ଚଳାଇଛନ୍ତି। ଏହାର ଜବାବରେ ମୈତୈ ସଂପ୍ରଦାୟାର ଲୋକମାନେ ମଧ୍ୟ ପଥର ମାଡ଼ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଏହି ସଂଘର୍ଷରେ ୧୭ ଜଣ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ଆଜି ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି। ଏହି କାରଣରୁ ପୂର୍ବ ଓ ପଶ୍ଚିମ ଇମ୍ଫାଲରେ ପ୍ରଶାସନ ପକ୍ଷରୁ କୋହଳ କରାଯାଇଥିବା କର୍ଫ୍ୟୁକୁ ପ୍ରତ୍ୟାହାର କରି ଦିଆଯାଇଛି। ଲୋକମାନଙ୍କୁ ଘରେ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୁଇ ଜିଲ୍ଲାରେ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *