Spread the love

ପଶ୍ଚିମବଙ୍ଗରେ ଏକ ସ୍କୁଲ ଲାବୋରେଟୋରୀରେ କେମିକାଲ୍‌ ବିସ୍ଫୋରଣ ଘଟିଛି। ଆମୋନିଆ ଭର୍ତ୍ତି ଏକ ଜାର୍‌ ଫାଟି ଶିକ୍ଷକଙ୍କ ସହ ୧୦ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଉତ୍ତର ୨୪ ପ୍ରଗଣାର ବସିରହାଟ ସବ୍‌ଡିଭିଜନ ଅନ୍ତର୍ଗତ ଟିକି ନଗରପାଳିକାସ୍ଥିତ ଏକ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି। ଆହତ ଛାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି। ସେପଟେ ଏହି ଘଟଣା ଯୋଗୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ ଛାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦ୍ୱାଦଶ ଶ୍ରେଣୀର ଜଣେ ବିଜ୍ଞାନ ଶିକ୍ଷକ କିଛି ଛାତ୍ରୀମାନଙ୍କ ସହ ସ୍କୁଲର ଲାବୋରେଟୋରୀ ରୁମର ତାଲା ଖୋଲିଥିଲେ। ଏହି ଲାବୋରେଟୋରୀ ଅନେକ ଦିନ ଧରି ବନ୍ଦ ପଡ଼ିଥିଲା। ଲ୍ୟାବ୍‌ ଖୋଲିବା ପରେ ଏଠାରେ ଛାତ୍ରୀମାନଙ୍କର ପ୍ରାକ୍ଟିକାଲ୍‌ କ୍ଲାସ୍ ଚାଲିଥିଲା। ଛାତ୍ରୀମାନେ ବିଭିନ୍ନ ରସାୟନିକ ପଦାର୍ଥ ମିଶ୍ରଣ କରି କିଛି ପରୀକ୍ଷଣ ସହ ପ୍ରାକ୍ଟିକାଲ୍ ଅଭ୍ୟାସ କରୁଥିଲେ।

ଏହି ସମୟରେ ଆମୋନିଆ ଗ୍ୟାସ ଭର୍ତ୍ତି ଥିବା ଏକ ଜାର୍‌ରେ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ ଛାତ୍ରୀମାନେ ଦୌଡ଼ି ଆସିଥିଲେ। ସେମାନେ ଲାବୋରେଟୋରୀରେ ପହଞ୍ଚି ଶିକ୍ଷକ ଓ ଛାତ୍ରୀମାନେ ଆହତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏହାପରେ ଆହତ ଶିକ୍ଷକ ଏବଂ ଛାତ୍ରୀମାନଙ୍କୁ ତୁରନ୍ତ ଲାବୋରେଟୋରୀରୁ ବାହାର କରି ସ୍ଥାନୀୟ ଗ୍ରାମୀଣ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି। କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେପଟେ ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ପୂରା ଘଟଣା ସମ୍ପର୍କରେ ବିଦ୍ୟାଳୟକୁ ରିପୋର୍ଟ ମାଗିଛି।

Leave a Reply

Your email address will not be published. Required fields are marked *